ଗିରଫ ହେଲେ ଦିଲ୍ଲୀ ୟୁନିଭର୍ସିଟି ଫାକଲ୍ଟି ଅଫ ଆର୍ଟସର ଛାତ୍ର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୦୨  ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି କରିଥିବା ଏକ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଏଥିରେ ଦଙ୍ଗା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରାଯାଇଛି । ଏହି ଡକ୍ୟୁମେଣ୍ଟାରୀକୁ ଭାରତରେ ବିରୋଧ କରିବା ସହ ଏହାକୁ ବ୍ୟାନ କରାଯାଇଛି । ଏହି ଡକ୍ୟୁମେଣ୍ଟକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂ କରିବାକୁ ନେଇ ବିବାଦ ଦେଖା ଦେଇଛି । ଏହି ଡକ୍ୟୁମେଣ୍ଟକୁ ଦଲ୍ଲୀ ୟୁନିଭର୍ସିଟିର ପାକଲ୍ଟି ଅଫ ଆର୍ଟସରେ ଦେଖାଇବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ବହୁ ସଂଖ୍ୟକ ଛାତ୍ର  ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଏହାର ସ୍କ୍ରିନିଂ ପାଇଁ ପ୍ରଶାସନ ଅନୁମତି ଦେଇ ନ ଥିଲା । ୟୁନିଭର୍ସିଟିର କଂଗ୍ରେସ ଛାତ୍ର ସଂଗଠନ NSU ଏବଂ KSU ମିଶି ସ୍କ୍ରିନିଂର ଆୟୋଜନ କରିଥିଲା । ହେଲେ ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯିବାରୁ ଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଛାତ୍ରମାନେ ଦିଲ୍ଲୀ ପୋଲିସ ବିରୋଧରେ ନାରାବାଜି ବି କରିଥିଲେ । ଏହା ପରେ ଫାକଲଟି ଅଫ ଆର୍ଟସରୁ  ଅନେକ ଛାତ୍ରଙ୍କୁ ଗିରଫ କରିନେଇଛି ପୋଲିସ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପୂର୍ବରୁ ବିବିସିର ଏହି ଡକ୍ୟୁମେଣ୍ଟାରୀକୁ ଜେଏନୟୁ ଏବଂ ଜାମିଆ ମିଲ୍ଲିଆ ଇସଲାମିଆରେ ମଧ୍ୟ ଦେଖାଇବାକୁ ଯୋଜନା କରାଯାଇଥିଲା । ହେଲେ ପ୍ରଶାସନ ପକ୍ଷରୁ ଏଥିପାଇଁ ଅନୁମତି ମିଳି ନ ଥିଲା । ଅବଶ୍ୟ ବହୁ ଛାତ୍ର ଏହାକୁ ନିଜ ଉଦ୍ୟମରେ ଫୋନ ଏବଂ ଲାପଟପରେ ଏହି ଡକ୍ୟୁମେଣ୍ଟାରୀକୁ ଦେଖିଥିଲେ । ଏହାକୁ ନେଇ ଜେନେୟୁରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ଛାତ୍ର ସଂଘ କାର୍ଯ୍ୟାଳରୁ ବିଜୁଳି ସଂଯୋଗ କାଟି ଦିଆଯିବା ସହ ଇଣ୍ଟରନେଟ ବନ୍ଦ କରି ଦିଆଯାଇଥିଲା । ଛାତ୍ରମାନେ ଇଣ୍ଟରନେଟରେ ଏହି ଡକ୍ୟୁମେଣ୍ଟାରିକୁ ଯେପରି ଦେଖି ନ ପାରିବେ ସେଥିପାଇଁ ଏପରି କରାଯାଇଥିଲା  । ସେହିପରି କିଛି ଦିନ ପୂ୍ବରୁ ଏହି ଡକ୍ୟୁମେଣ୍ଟାରିକୁ ନେଇ ଜାମିଆ ୟୁନିଭର୍ସିଟିରେ ମଧ୍ୟ ବାତାବରଣ ଉତ୍ତେଜନା ପୂର୍ଣ୍ଣ ଥିଲା । ପୋଲିସ ତିନି ଜଣ ଛାତ୍ରଙ୍କୁ ଗିରଫ କରିଥିଲା । ଏଠି କହିରଖିବୁ, ବିବିସି ପକ୍ଷରୁ ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟାରୀକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଶି ସୁନକ ମଧ୍ୟ ବିରୋଧ କରିଛନ୍ତି । ବିବିସି ରିପୋର୍ଟ ଠାରୁ ନିଜ ସରକାରକୁ ଦୂରେଇ ରଖିଛନ୍ତି। ବିବିସି ଯେଉଁଭଳି ଚିତ୍ରଣ କରୁଛି ପ୍ରଧାନମନ୍ତ୍ରୀ ମୋଦୀ ସେହିପରି ହୋଇଥିବା ସେ ଭାବିପାରୁ ନାହାନ୍ତି ବୋଲି ସୁନକ କହିଥିଲେ। ହେଲେ ବିବିସି ଡକ୍ୟୁମେଣ୍ଟାରିକୁ ଭାରତରେ ବ୍ୟାନ୍ କରିବା ଘଟଣାକୁ ବିରୋଧ କରିଛି ଆମେରିକା। ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ପରିଚୟ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ କହିଛି। ଗଣତନ୍ତ୍ରର ମହତ୍ୱ ଗଣମାଧ୍ୟମର ସ୍ୱାଧୀନତାକୁ ଭାରତ ସମେତ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଆମେରିକା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ନିଡ୍ ପ୍ରାଇସ୍ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.