୫% ସଂରକ୍ଷଣ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ବଂଟନ ନ ହେବା ସହ ଶାସକ ଦଳ ବିଜେଡି ନିଜ ଦଳୀୟ କର୍ମୀଙ୍କୁ ଗୃହ ବଂଟନ କରୁଥିବା ଅଭିଯୋଗକୁ ନେଇ ବିଜେପି-ବିଜେଡି ମଧ୍ୟରେ କଳି ଥମୁ ନ ଥିବା ବେଳେ ଏହି ଯୋଜନାରେ ଦିବ୍ୟାଙ୍ଗଙ୍କୁ କାହିଁକି ଅଣଦେଖା କରାଯାଉଛି ବୋଲି ଓଡିଶା ବିକଳାଙ୍ଗ ମଂଚ ଆରବିଏମଏସ ରାୟଗଡା ଜିଲ୍ଳା ଶାଖାର ସଭାପତି ରାକେଶ କୁମାର ହିମିରିକା ଓ ସଂପାଦକ ଜଳନ୍ଧର ବାଚେଲିଙ୍କ ସମେତ ସଦସ୍ୟମାନେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଭିନ୍ନକ୍ଷମମାନେ ସମାଜରେ ଅତି ଅବହେଳିତ ଓ ଅଣଦେଖା ଅଟନ୍ତି। ଏଣୁ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଧିଷ୍ଟ ଥିଲେ ସୁଦ୍ଧା ଏଥିରେ ସେମାନଙ୍କୁ ଅର୍ନ୍ତଭୁକ୍ତ କରାଯାଉ ନ ଥିବା ବେଳେ ଯାହାର ଜ୍ୱଳନ୍ତ ଉଦାହରଣ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ବୋଲି ଉଲ୍ଳେଖ ରହିଛି। ଏହି ଆବାସ ଯୋଜନାରେ ଭିନ୍ନକ୍ଷମମାନଙ୍କ ପାଇଁ ୫ ପ୍ରତିଶତ ଘର ସଂରକ୍ଷଣ ସମ୍ବନ୍ଧରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଚିଠି ସଂଖ୍ୟା୧୧୦୧୪/୧/୨୦୧୬/୭/୩/୨୦୧୮ପ୍ରକାରେ ସ୍ପଷ୍ଟ ନିର୍ଦ୍ଦେଶ ନାମା ରାଜ୍ୟ ସରକାରଙ୍କୁ ଜାରି କରାଯାଇଥିବା ସ୍ୱତେ ଓଡିଶା ରାଜ୍ୟର ପଂଚାୟତିରାଜ ବିଭାଗର ଉଦାସୀନତା ଯୋଗୁଁ ଏବଂ ଷଷ୍ଠ ନିର୍ଦ୍ଦେଶାନାମା ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇ ନ ଥିବା ଯୋଗୁଁ ଓଡିଶା ରାଜ୍ୟରେ ଭିନ୍ନକ୍ଷମ ଭାଇଭଉଣୀମାନେ ଏହି ଯୋଜନାରେ ସାମିଲ ହୋଇପାରୁନଥିବା ଅଭିଯୋଗ ଉଲ୍ଳେଖ ରହିଛି। ପ୍ରକାଶ ଥାଉ କି,ଓଡିଶା ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ୨୦୨୨-୨୩ବର୍ଷ ପାଇଁ ପ୍ରଥମଥର ହିତାଧିକାରୀଙ୍କ ତାଲିକା ଜିଲ୍ଳା,ବ୍ଳକ,ପଂଚାୟତ କାର୍ଯ୍ୟାଳୟ ସ୍ତରରେ ଜାରି କରାଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଭିନ୍ନକ୍ଷମମାନଙ୍କ ପାଇଁ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଷଷ୍ଠ ନିର୍ଦ୍ଦେଶନାମା ଓ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ଆଇନ ପ୍ରକାରେ ସମ୍ବିଧାନକ ବ୍ୟବସ୍ଥା ଏହା ସୁନିଶ୍ଚିତ କରାଯାଇଥିଲେ ମଧ୍ୟ ଏହା ବର୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ଆବଂଟନରେ ସଂପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି ବୋଲି ଉଲ୍ଳେଖ ରହିବା ସହ ଆବାସ ଯୋଜନାର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଆବଂଟିତ ହେବାକୁ ଥିବା ମୋଟ ଆବାସର ୫ପ୍ରତିଶତ ରାଜ୍ୟ ସ୍ତରରେ ସଂରକ୍ଷଣ ରଖି ଓଡିଶା ରାଜ୍ୟର ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ତୁରନ୍ତ ଆବାସ ଗୃହ ବଂଟନ ପାଇଁ ଦାବି କରାଯାଇଛି।