୫୦ ହଜାର ବର୍ଷ ପରେ ଦୃଶ୍ୟମାନ ହେବ ଧୂମକେତୁ: ସୋମବାର ସନ୍ଧ୍ୟାଠାରୁ ଓଡ଼ିଶାରେ ଖାଲି ଆଖିରେ ଦେଖିବେ ଲୋକେ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରାୟ ୫୦ ହଜାର ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଧୂମକେତୁ ଦୃଶ୍ୟମାନ ହୋଇଛି । ଏହି ନୂଆ ଧୂମକେତୁ ଖାଲି ଆଖିକୁ ଦେଖାଯିବ । ସବୁଠାରୁ ବଡ କଥା ହେଉଛି ଏହି ଧୂମକେତୁ ଖାଲି ଆଖିରେ ଓଡ଼ିଶାରେ ୪ ଦିନ ପାଇଁ ଦେଖାଯିବ । ଏହି ଧୂମକେତୁର ନାମ C/2022 E3 ରଖାଯାଇଛି । ଏହି ଧୂମକେତୁ ବରଫ ଯୁଗରେ ଶେଷ ଥର ପାଇଁ ଦେଖା ଯାଇଥିଲା । ଖାଲି ଆଖିରେ ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହେବ । ଏହି ଧୂମକେତୁ ଫେବୃୟାରୀ ୨ ତାରିଖ ସୋମବାରଠାରୁ ଖାଲି ଆଖିରେ ଦେଖାଯିବ । ଠାବ କରାଯାଇଥିବା ଏହି ନୂଆ ଧୂମକେତୁକୁ ମହାକାଶ ଗବେଷକମାନେ ଗତବର୍ଷଠାରୁ ବାଇନାକୁଲାରରେ ଦେଖି ଆସୁଛନ୍ତି । ଏବେ ଏହାକୁ ଖାଲି ଆଖିରେ ଦେଖିବାକୁ ମିଳିବ । ପଠାଣି ସାମନ୍ତ ପ୍ଲାନିଟୋରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏହି ଧୂମକେତୁର ନିଜର ଆଲୋକ ନାହିଁ ଏବଂ ଏହା ଚନ୍ଦ୍ରଠାରୁ ମଧ୍ୟ ଛୋଟ । ଏହା ପ୍ଲୁଟୋଠାରୁ କୋଟି କୋଟି କିଲୋମିଟର ଦୂରରେ ରହିଛି ଏବଂ ସୂର୍ଯ୍ୟ ଚାରିପଟେ ଘୁରୁଛି । ସୋମବାର ସନ୍ଧ୍ୟା ୭.୩୦ରୁ ଏହି ଧୂମକେତୁ ଦୃଶ୍ୟମାନ ହେବ । ଏହି ବିରଳ ଦୃଶ୍ୟକୁ ଲୋକେ ଏହାକୁ ଖାଲି ଆଖିରେ ଦେଖି ପାରିବେ । ଏହା ୨୦ ଡିଗ୍ରୀ ଉତ୍ତର ପୂର୍ବ ଅଲଟିଟ୍ୟୁଡରେ ଦେଖିବାକୁ ମିଳିବ । ପୋଲ ଷ୍ଟାର ଏବଂ ସପ୍ତର୍ଷି ମଣ୍ଡଳ ମଝିରେ ଏହା ଦୃଶ୍ୟମାନ ହେବ । ଏହି ଧୂମକେତୁ ସୂର୍ଯ୍ୟ ଚାରିପାଖରେ ଥରେ ଘୁରିବାକୁ ୫୦ ହଜାର ବର୍ଷ ନେଇଥାଏ । ଏହା ଏବେ ପୃଥିବୀର ନିକଟବର୍ତ୍ତୀ ହୋଇ ୪.୨ ବିଲିଅନ କିଲମିଟର ଦୂରରେ ରହିବ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.