ସୁବର୍ଣ୍ଣପୁରରେ ଫେବୃୟାରୀ ୧୦ ରୁ ରାଷ୍ଟ୍ରୀୟ ନାଟ୍ ମେଲା

● ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ କୋସଲି/ସମ୍ଵଲପୁରୀ ଭାଷାକୁ ସମର୍ପିତ

●ରାଷ୍ଟ୍ରୀୟ ନାଟ୍ ସମ୍ମାନ ପାଇବେ ସବ୍ୟସାଚୀ ମହାପାତ୍ର

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ଅନୁଷ୍ଠାନ ନାଟ୍ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୩ ଆୟୋଜିତ ହେବ। ଫେବୃୟାରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ସ୍ଥାନୀୟ ଭୀମଭୋଇ କଳାମଣ୍ଡପ ଠାରେ ଏହି ଜାତୀୟ ନାଟକ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ଵୟ ସମିତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ନାଟ୍ୟକାର ପ୍ରଦ୍ୟୁମ୍ନ କୁମାର ସାହୁ ସୂଚନା ଦେଇଛନ୍ତି। କିମ୍ଵଦନ୍ତୀ ପୁରୁଷ ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଅମ୍ଲାନ ସ୍ମୃତିରେ ଚଳିତ ସଂସ୍କରଣଟି କୋସଲି/ସମ୍ଵଲପୁରୀ ଭାଷା ପ୍ରତି ସମର୍ପିତ ବୋଲି ସେ ଉଲ୍ଲେଖ କରିଛନ୍ତ। ନାଟ୍ୟ ମହୋତ୍ସବରେ ବଛାବଛା ମୋଟ ସାତଟି ନାଟ୍ୟ ଦଳ ଅଂଶଗ୍ରହଣ କରିବେ। ଅତିଶ କୁମାର ଶତପଥୀଙ୍କ ଲିଖିତ ଓ ନିର୍ଦ୍ଦେଶିତ ଅଦୃଶ୍ୟ ନାଟ୍ୟ ଆଶ୍ରମ ପ୍ରସ୍ତୁତ ନାଟକ ଝି ଲେଉଟେନ୍ ରୁ ୧୦ ତାରିଖରେ ଏହି ଉତ୍ସବର ଶୁଭାରମ୍ଭ ହେବ। ପରେ ପରେ ବୀଣାପାଣି ସାହିତ୍ୟ କଳା ସଂସଦ, ବଡକର୍ଲେର ପ୍ରସ୍ତୁତି ସୁମନ୍ତ ଭୋଇଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ ଗୁଟେ ରାତିର କଥା ଏବଂ ଡ୍ରାମା ଚେତନା, ସୋହେଲାର ପ୍ରସ୍ତୁତି ଅଶୋକ ବହିଦାରଙ୍କ ଲିଖିତ ଓ ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶିତ ନାଟକ ବହି ମଞ୍ଚସ୍ଥ ହେବ। ଠିକ ସେହିପରି ଦ୍ଵିତୀୟ ଦିବସ ୧୧ ଫେବୃୟାରୀରେ ବାମଣ୍ଡା କଳାକାର ସଂଘ, ଦେବଗଡର ପ୍ରସ୍ତୁତି ଆଶିଷ ସୋନାରଙ୍କ ଲିଖିତ ଓ ମଙ୍ଗଲ ମହାକୁଡଙ୍କ ନିର୍ଦ୍ଦେଶିତ ନାଟକ କେଡା, ପଦମପୁର ଲୁ ସଂସ୍ଥା ଦ୍ଵାରା ପ୍ରସ୍ତୁତ ମୂଳ ହିନ୍ଦି ନାଟ୍ୟକାର ଏନଏସଡିଏନ୍ ଅଶୋକ ମିଶ୍ରଙ୍କ ନାଟକ ଗାନ୍ଧୀଛକ ଯାହାର କୋସଲି ଅନୁବାଦ କରିଛନ୍ତି କେଶରଂଜନ ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଏନଏସଡିଏନ ଜଗନ୍ନାଥ ସେଠ୍ ଏବଂ ପଣ୍ଡିତ ଲକ୍ଷ୍ମିନାରାୟଣ ସାଂସ୍କୃତିକ ସଂସଦ, ସମ୍ବଲପୁର ପ୍ରସ୍ତୁତି ସନ୍ତୋଷ କୁମାର ମିଶ୍ରଙ୍କ ନାଟକ ଭାଗ୍ ମଞ୍ଚସ୍ଥ ହେବ। ୧୨ ଫେବୃୟାରୀରେ ଆୟୋଜକ ନାଟ୍ ଦ୍ଵାରା ପ୍ରସ୍ତୁତ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ ଉଲଟା ଭାରତ ମଞ୍ଚସ୍ଥ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହା ବ୍ୟତିତ ୧୦ ଫେବୃୟାରୀ ଦିନ ୧୦ ଘଣ୍ଟାରେ ଥିଏଟର ମାର୍ଚ୍ଚ ଅନୁଷ୍ଠିତ ହେବ। ଅନୁଷ୍ଠାନର ସ୍ମରଣିକା ନେପଥ୍ୟ ମଧ୍ୟ ପ୍ରକାଶିତ ହେବ। ଏହି ଅବସରରେ ୧୧ ଫେବୃୟାରୀ ସଂଧ୍ୟାରେ ବିଶିଷ୍ଟ ସିନେ ନିର୍ମାତା ଡ. ସବ୍ୟସାଚୀ ମହାପାତ୍ରଙ୍କୁ ରାଷ୍ଟ୍ରୀୟ ନାଟ୍ ସମ୍ମାନରେ ସମ୍ମାନିତ କରାଯିବ ଏବଂ ଆଗାମୀ ଏକ ବର୍ଷ ପାଇଁ ଶ୍ରୀ ମହାପାତ୍ରଙ୍କୁ ନାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଭାବେ ଅଭିଷିକ୍ତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଗୌରୀଶ୍ୟାମ ପଣ୍ଡା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଲେଖକ ଆର୍ତ୍ତତ୍ରାଣ ବାବୁ, ଯୁବ ବ୍ୟବସାୟୀ ପ୍ରିୟବ୍ରତ ସାହୁ,ପ୍ରଦୀପ ମେହେର, ନାଟ୍ ର ସାଧାରଣ ସଂପାଦକ ବନମାଳି ପଣ୍ଡା, ସଂସ୍କୃତି ସଂପାଦକ ଅବିନାଶ ହୋତା, ସାହିତ୍ୟ ସଂପାଦକ ନରେନ୍ଦ୍ର ଭୋଇ, ସମାଜସେବା ସଂପାଦକ ସଞ୍ଜୟ ପଣ୍ଡା, କୋଷାଧ୍ୟକ୍ଷ ଜ୍ୟୋତି ବିକାଶ ମିଶ୍ର ପ୍ରମୁଖ ମଂଚାସୀନ ରହି ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୩ର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ନାଟ୍ ର ସଭ୍ୟ ଉମାକାନ୍ତ ବିଶି, ସୌମ୍ୟକାନ୍ତ ମିଶ୍ର, ଦଧି ବାବୁ, ସ୍ଵରାଜ ମହାନ୍ତି, କୃଷ୍ଣ ସିନ୍ଦରିଆ, ଶିବରାଜ କମ୍ପ, ଶୈଳେନ୍ଦ୍ର ବସ୍ତିଆ ପ୍ରମୂଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.