ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ଉର୍ଲାଦାନି, ଦୁଡ଼ୁକାରଞ୍ଜା ଓ ବାରବନ୍ଧା ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ତାଲିମ ସମାପନ ହୋଇଯାଇଛି। ଏନେଇ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆୟୋଜକ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଯୋଗ ଦେଇ ତିନୋଟି ଗ୍ରାମ ପଞ୍ଚାୟତର ୩୨ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ନିଜ ନିଜ ୱାର୍ଡ ଓ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ଧ୍ୟାନ ଦେବା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ତାଳିମାର୍ଥି ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ସଞ୍ଜୀବ ଶତପଥୀ ଓ କୀର୍ତ୍ତନ ନାଏକ ତିନି ଦିନ ଧରି ତାଲିମ ପ୍ରଦାନ କରିଥିଲେ। ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ବ କରିବା ସହିତ ଟ୍ରେନିଂ ପରିଚାଳନା କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମମିତା ପୁଝାରୀ, ପୂର୍ଣ୍ଣମୀ ବଗର୍ତ୍ତୀ ଓ ବଂଶୀଧର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।