ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଆଦିବାସୀ ମେଳା ଅବସରରେ କଳାହାଣ୍ଡି ଜିଲ୍ଲାର ୫ଜଣଙ୍କ ସମେତ ନର୍ଲା ବ୍ଲକର ତିନିଜଣ ଜନଜାତି ସଂପ୍ରଦାୟର ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ ହୋଇଛନ୍ତି।ଓଡିଶା ସରକାରଙ୍କ ଆଦିବାସୀ ବିଭାଗ ତରଫରୁ ଫେବୃଆରୀ ୨୦ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଦୀର୍ଘ ୧୦ଦିନ ଧରି ଭୁବନେଶ୍ୱରର ଆଦିବାସୀ ପଡିଆରେ ଚାଲିଥିବା ଆଦିବାସୀ ମେଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ନର୍ଲା ବ୍ଲକର କନ୍ଧାନ କବି କ୍ଷିତୀଶ ଚନ୍ଦ୍ର ମାଝୀ, ଆୟୁର୍ବେଦ ବିଶାରଦ ବୈଦ୍ୟରାଜ ପବିତ୍ର ଶବର ଓ ବଗୁଆ ଜନଜାତିର ସଂଚାର ବାଦକ ତଥା ଲୋକକଳାକାର ସଦନ ପ୍ରଗଣିଆଙ୍କୁ ଉପଢୌକନ, ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରି ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନିତ କରିଛନ୍ତି।
ଏଥିରେ ଆଦିବାସୀ କଲ୍ୟାଣ ସଚିବ, ଉପ ସଚିବ, ବିଭାଗୀୟ ନିର୍ଦ୍ଦେଶକ ଏବଂ ବିଭାଗୀୟ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ ଯୋଗଦେଇ ଆଦିବାସୀଙ୍କ ସଂସ୍କୃତି ପରମ୍ପରା ଓ ଭାଷାର ପୁନଃରୁଦ୍ଧାର, ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ଦ୍ୱାରା କରାଯାଇଥିବା ଚାଷର ସଠିକ ବଜାର ମୂଲ୍ୟରେ ବିକ୍ରି ବଟା ଉପରେ ଆଲୋଚନା କରିଥିଲେ। ନର୍ଲା ବ୍ଲକରୁ ତିନିଜଣ ବିଶିଷ୍ଟ ବ୍ୟକ୍ତି ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଥିବାରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।