ସୁଖି ଆସିଲାଣି ସାନ୍ଦୁଲ ନଦୀ: ନର୍ଲାରେ ଘନେଇ ଆସୁଛି ପାନୀୟ ଜଳ ସଙ୍କଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଲାଇଫ ଲାଇନ ସାଜିଥିବା ସାନ୍ଦୁଲ ନଦୀ ସମ୍ପୂର୍ଣ୍ଣ ସୁଖି ଗଲାଣି । ସାନ୍ଦୁଲ ନଦୀରେ ଜଳାଭାବ ଦେଖା ଦେଲାଣି । ଆଉ ସାନ୍ଦୁଲ ନଦୀ କୂଳରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନା ରେ ୧୦ ରୁ ଉର୍ଦ୍ଧ୍ବ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବସିଛି । ନର୍ଲା, ସର୍ଗିଗୁଡା, ନର୍ଲାରୋଡ ଓ ବେହେରାପାଟିକୁ ସର୍ଗିଗୁଡା ଗେଟ୍ ଫାଟକ ନିକଟସ୍ଥ ସାନ୍ଦୁଲ ବ୍ରୀଜ୍ ନିକଟରୁ ଆରଡବ୍ଲୁଏସ୍ଏସ୍ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଛି । ସେହିଭଳି ସାନ୍ଦୁଲ ନଈ କଡେ କଡେ ରହିଥିବା ନିକଟସ୍ଥ ଗ୍ରାମ ଗୁଡିକ ମାଣ୍ଡେଲ, ରୁପ୍ରାରୋଡ, ଲାଖଗୁଡା, ଭୀମକେଲା, ପଲସାପଡ଼ା ଏଭଳି ଅନେକ ଗୁଡିଏ ଗ୍ରାମକୁ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ସାନ୍ଦୁଲ ନଈ ବର୍ତ୍ତମାନ ଜଳଶୂନ୍ୟ । ଶୂନ୍ୟଗର୍ଭା ସାନ୍ଦୁଲ ଆଉ ସକ୍ଷମ ନୁହଁ ପାନୀୟ ଜଳ ଯୋଗାଣ ପାଇଁ । ମାର୍ଚ୍ଚର ମଧ୍ୟ ଭାଗରୁ ଯଦି ଏଭଳି ସ୍ଥିତି । ଆଗକୁ ଆଉ ତିନିମାସ ଧରି ଗ୍ରୀଷ୍ମ ଋତୁ ଲାଗି ରହିବ । ଗତବର୍ଷ ମଧ୍ୟ ଏପ୍ରେଲ ମାସରୁ ଜଳ ଯୋଗାଣରେ ବ୍ୟାଘାତ ଉପୁଜିଥିଲା । ଚଳିତ ବର୍ଷ ମଧ୍ୟ ତଦ୍ରୁପ ସ୍ଥିତି ରହିବ ବୋଲି ସ୍ପଷ୍ଟ ଅନୁମେୟ। ଗତ ବର୍ଷ ସାରା ରାତି ଇନଟେକ କୂଅରେ ପାଣି ଟିକେ ଝରିଥିଲେ ବଡ କଷ୍ଟରେ ସକାଳେ ଅଧ ଘଣ୍ଟା ଚାଲୁଥିଲା ଜଳ ଯୋଗାଣ । ଏହା କେବଳ ନର୍ଲା କିମ୍ବା ସର୍ଗିଗୁଡା ର ପ୍ରସଙ୍ଗ ହୋଇ ରହିନାହିଁ । ରୁପ୍ରାରୋଡ଼, ମାଣ୍ଡେଲ, ଭାନପୁର ସବୁଠି ପାନୀୟ ଜଳ ସମସ୍ୟା ଲାଗି ରହିଛି । ଆହୁରି ତିନିମାସ ଖରା ବାକି ଅଛି । ଆଗକୁ ଆଗକୁ ପାନୀୟ ଜଳକଷ୍ଟ ସମସ୍ୟା ବଢିବାର ଯଥେଷ୍ଟ ସମ୍ବାବନା ରହିଛି । ପ୍ରଶାସନ ପକ୍ଷରୁ ନଈରେ ବାଲି ଆଡେଇ ଚହଲା ସବୁ କରିବା କଥା ହେଲେ ଏ ଯାବତ୍ ତାହା ମଧ୍ୟ କରାଯାଇନାହିଁ । ଏପଟେ ନର୍ଲା ଅଞ୍ଚଳର ଜଳସ୍ତର ମଧ୍ୟ କ୍ରମଶଃ ତଳକୁ ତଳ ଖସିବାରେ ଲାଗିଛି । ମାର୍ଚ୍ଚମାସ ଆରମ୍ଭରୁ କୂଅ ସବୁ ଶୁଖି ସାରିଲାଣି । ଜଳସ୍ତର ଖସି ଯାଉଥିବା ଯୋଗୁଁ ନଳକୂଅ ଗୁଡିକରେ ମଧ୍ୟ ଆଉ ପ୍ରଚୁର ପାଣି ବାହାରି ପାରୁ ନାହିଁ । ଯଦି ବା ବାହାରୁଛି କଳଙ୍କି ଗୁଣ୍ଡ ମିଶା ମଇଳା ପାଣି ବାହାରୁଛି ଯାହା ପାନୀୟ ଯୋଗ୍ୟ ନୁହଁ । ରେଳ ଲାଇନ୍ କଡେ କେସିଙ୍ଗାରୁ ଲାଞ୍ଜିଗଡରୋଡ ଯାଏଁ ରହିଥିବା ଗାଁ ଗୁଡିକରେ ଲୋକେ ବେଦାନ୍ତ କମ୍ପାନୀ ଦୟାରୁ ତେଲ ନଦୀର ପାଣିପାଇ ଜଳକଷ୍ଟରୁ ଟିକେ ନିସ୍ତାର ପାଉଥିବା ଦେଖିବାକୁ ମିଳୁଛି । ନର୍ଲା ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ଗ୍ରାମାଞ୍ଚଳ ହୋଇଥିବାରୁ ୮୫ ପ୍ରତିଶତ ଲୋକେ ପାନୀୟ ଜଳ ତଥା ସ୍ନାନ ଓ ଶୌଚ ପାଇଁ କୂଅ ଓ ପୋଖରୀ ଗୁଡିକ ଉପରେ ନିର୍ଭର କରିଥାନ୍ତି । ହେଲେ ଅଞ୍ଚଳର କେତେକ ପୋଖରୀ ଶୁଖି ସାରିଲାଣିତ ଆଉ କେତେ ଗୁଡିଏ ପୋଖରୀ ଅଳ୍ପଦିନ ମଧ୍ୟରେ ଶୁଖିଯିବ । ଜଳାଭାବ ଯୋଗୁଁ ନର୍ଲା ଅଞ୍ଚଳରେ ପାଣି ପାଇଁ ହାହାକାର ଦେଖା ଦେବାକୁ ବସିଲାଣି । ପ୍ରଶାସନ ତରଫରୁ ନଈରେ ଚହଲା କରିଦେବା, ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବା, ବୋରିଂ ଗୁଡିକ ସଫା ଓ ମରାମତି କରେଇବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.