ମୁନିଗୁଡାକୁ ଏନଏସି ଏବଂ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ଅନ୍ୟତମ ପ୍ରମୁଖ କେନ୍ଦ୍ର ସ୍ଥଳ ମୁନିଗୁଡାକୁ ବିଜ୍ଞପିତ ଅଂଚଳ ପରିଷଦ (ଏନଏସି) ଏବଂ ଜିଲ୍ଳାର ରାଜସ୍ୱ ଉପଖଣ୍ଡ (ସବ୍‌-ଡିଭିଜନ୍‌) ଭାବରେ ମାନ୍ୟତା ଦାବିରେ ଆଜି ମୁନିଗୁଡା ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥାଙ୍କ ନେତୃତ୍ୱରେ ପରିଷଦର ସଦସ୍ୟଗଣଙ୍କ ସମେତ ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ବ୍ଳକର ବହୁ ଜନସାଧାରଣ ପ୍ରମୁଖ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମୁନିଗୁଡା ବିକାଶ ପରିଷଦର ସ୍ମାରକପତ୍ରକୁ ସରକାରଙ୍କ ନିକଟକୁ ଯଥାଶୀଘ୍ର ପ୍ରେରଣ କରାଯାଇ ପରିଷଦର ଦାବି ପୂରଣ ଦିଗରେ ନିଷ୍ପତି ଗ୍ରହଣ କରିବାକୁ ସୁପାରିଶ କରିବି ବୋଲି ଜିଲ୍ଳାପାଳ ପ୍ରକାଶ କରିଥିବା ନେଇ ପରିଷଦ ପକ୍ଷରୁ ଜଣାଯାଇଥିବା ବେଳେ ଜିଲ୍ଳାପାଳଙ୍କ ସହ ସକାରତ୍ମକ ଆଲୋଚନାକୁ ନେଇ ବିକାଶ ପରିଷଦ ପକ୍ଷରୁ ସନ୍ତୋଷ ପ୍ରକାଶ କରିଛି। ପ୍ରକାଶ ଥାଉ କି, ଜିଲ୍ଳାର ବିଷମକଟକ, ଚନ୍ଦ୍ରପୁର ଓ ମୁନିଗୁଡା ୩ଟି ବ୍ଳକର ସମୁଦାୟ ୪୬ଟି ଗ୍ରାମ ପଂଚାୟତ ମଧ୍ୟରୁ ଦୁର୍ଗମ ଚନ୍ଦ୍ରପୁର ବ୍ଳକର ସମସ୍ତ ୮ଟି ପଂଚାୟତ, ମୁନିଗୁଡାର ୧୭ଟି ଏବଂ ବିଷମକଟକ ବ୍ଳକର ଆଂଶିକ ୪ଟି ଗ୍ରାମ ପଂଚାୟତ ଭଳି ୨୯ଟି ଗ୍ରାମ ପଂଚାୟତବାସୀ ମୁନିଗୁଡା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ଦୃଷ୍ଟିରୁ ମୁନିଗୁଡା ବିକାଶ ପରିଷଦ ପକ୍ଷରୁ ମୁନିଗୁଡାକୁ ଏନଏସି ଏବଂ ଜିଲ୍ଳାର ସବ-ଡିଭିଜନ୍ ଭାବେ ମାନ୍ୟତା ଦାବି କରୁଛି। ଏଥିସହ ମୁନିଗୁଡାରେ ୨୦ହଜାରରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ବେଳେ ଜିଲ୍ଳାର ବିଭିନ୍ନ ବିଭାଗର ବିଭାଗୀୟ କାର୍ଯ୍ୟାଳୟ ରହିଅଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରେଳପଥ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ଭଳି ସମସ୍ତ ସେବା ମୁନିଗୁଡାରେ ଉପଲବ୍ଧ ହେଉଅଛି। କନ୍ଧମାଳ,କଳାହାଣ୍ଡି ଓ ରାୟଗଡା ଜିଲ୍ଳା ପାଇଁ ମୁନିଗୁଡା ଏକ ପ୍ରମୁଖ କେନ୍ଦ୍ର। ବର୍ତମାନ ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ବ୍ଳକବାସୀ ୧୦୦କିମି ଉର୍ଦ୍ଧ ଦୂରତାରେ ଥିବା ଜିଲ୍ଳାର ଗୁଣପୁର ସବ-ଡିଭିଜନ୍ ଉପରେ ନିର୍ଭର କରୁଥିବା ବେଳେ ଅନେକ ସମୟରେ ବ୍ଳକବାସିନ୍ଦାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ମୁନିଗୁଡାକୁ ସବଡିଭିଜନର ମାନ୍ୟତା ଦେଲେ ୩ଟି ବ୍ଳକବାସୀ ଉପକୃତ ହୋଇପାରିଥାନ୍ତେ ବୋଲି ସ୍ମାରକପତ୍ରରେ ଉଲ୍ଳେଖ ରହିଛି।

ମୁନିଗୁଡାରୁ ଦେଶର ରାଜଧାନୀ ଦିଲ୍ଳୀ ସମେତ ମେଟ୍ରୋସିଟିଗୁଡିକୁ ସିଧାସଳଖ ରେଳପଥର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ନୂତନ ରାୟଗଡା ରେଳ ଡିଭିଜନର ଉପ ରେଳ ଡିଭିଜନ୍ ଭାବେ ମୁନିଗୁଡା ଷ୍ଟେସନକୁ ଘୋଷଣା କରାଯାଇଛି। ମୁନିଗୁଡାକୁ ଏନଏସି ଓ ସବ-ଡିଭିଜନ ଦାବି ନେଇ ବିକାଶ ପରିଷଦ ଏବଂ ଅଂଚଳବାସୀଙ୍କ ମିଳିତରେ ଗତ ଦିନରେ ମୁନିଗୁଡା ଠାରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ଯଦି ୩ଟି ବ୍ଳକବାସୀଙ୍କ ଦୀର୍ଘ ବର୍ଷର ନ୍ୟାର୍ଯ୍ୟ ଦାବିକୁ ସରକାର ପୂରଣ ଦିଗରେ ଅହେତୁକ ବିଳମ୍ବ କରନ୍ତି ତାହା ହେଲେ ମୁନିଗୁଡା ବିକାଶ ପରିଷଦ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଭାପତି ଶ୍ରୀ ମାର୍ଥା ପ୍ରକାଶ କରିଛନ୍ତି। ଜିଲ୍ଳାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ମୁନିଗୁଡା ସରପଂଚ ସରସ୍ୱତୀ ଶବର, ମୁନିଗୁଡା ବିକାଶ ପରିଷଦ ସଂପାଦକ ମାନସ ରଂଜନ ବେହେରା, ପ୍ରମୋଦ ସାହୁକାର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ହାଡିପା ଗଉଡ, ବିଜୟ ଉଲାକା, ନନ୍ଦ କିଶୋର ପଟ୍ଟନାୟକ, ମନୋଜ କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.