ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଲୋ ସ୍କୋରିଂ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ପ୍ରାରମ୍ଭୀକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ କେଏଲ ରାହୁଲଙ୍କ ଚମତ୍କାର ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚ ଜିତିପାରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୫.୪ ଓଭରରେ ୧୮୮ ରନ କରି ଅଲଆଉଟ ହୋଇ ଯାଇଥିଲା । ମିଚେଲ ମାର୍ଚ୍ଚ ୮୧ ରନ କରିବା ଯୋଗୁ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା । ୪ ୱିକେଟ ବିନିମୟରେ ୧୬୯ ରନ କରିଥିବା ଅଷ୍ଟ୍ରେଲିଆ ୧୯ ରନରେ ବାକି ୬ଟି ୱିକେଟ ହରାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି ଓ ମହମ୍ମଦ ସିରାଜ ୩ଟି ଲେଖାଁଏ ଏବଂ ରବୀନ୍ଦ୍ର ଜାଡେଜା ୨ଟି ୱିକେଟ ନେଇଥିଲେ ।

୧୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୩୯ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ଈଶାନ କିଶନ ୩, ଶୁବମନ ଗିଲ ୨୦, ବିରାଟ କୋହଲି ୪ ଓ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । ଏହା ପରେ ରାହୁଲ ୭୫ ଓ ଜାଡେଜା ୪୫ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନ କରିଥିଲେ । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୩ଟି ଏବଂ ମାର୍କସ ଷ୍ଟୋଇନିସ ୨ଟି ୱିକେଟ ହାସଲ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.