ପାନୀୟ ଜଳ ଯୋଗାଇବା ଦାବି ନେଇ କୁସୁମପଦର ଗାଁ ଲୋକେ ପ୍ରଶାସନର ଦ୍ୱାରସ୍ଥ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗାଁ ନିକଟସ୍ଥ ପାହାଡରୁ ଝରି ଆସୁଥିବା ଝରଣା ପାଣିକୁ ପାଇପ ଯୋଗେ ଗାଁର ଘରେ ଘରେ ଟେପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ତେବେ ଗାଁର କିଛି ଲୋକେ ଉକ୍ତ ପାଇପକୁ ଭାଙ୍ଗି ନଷ୍ଟ କରି ଦେଇଥିବାରୁ ପାନୀୟ ଜଳ ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଇଛନ୍ତି ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ କୋଣାବାଇ ଗ୍ରାମ ପଂଚାୟତର କୁସୁମପଦର ଗ୍ରାମବାସୀ । ତେବେ ପୁଣି ଥରେ ନଷ୍ଟ ହୋଇ ଯାଇଥିବା ପାଣି ପାଇପକୁ ମରାମତି କରି ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଦେବା ପାଇଁ ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି କୁସୁମପଦର ଗ୍ରାମବାସୀ । ଆଜି କୁସୁମପଦର ଗ୍ରାମର ଦାସୁ ପ୍ରାସ୍କା, ଶଙ୍କର ପ୍ରାସ୍କା, ବନମାଳି ପ୍ରାସ୍କା, ଆଦି ପ୍ରାସ୍କା, ଜାଗିଲି ପ୍ରାସ୍କାଙ୍କ ସମେତ ଅନ୍ୟ କିଛି ଗ୍ରାମବାସୀ ମିଶି ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ପାଣି ପାଇପ ଭାଙ୍ଗି ନଷ୍ଟ କରିଥିବା ଲୋକଙ୍କ ଠାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଦାବିପତ୍ର ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । କୁସୁମପଦର ଗ୍ରାମରେ ୬୦ଘର ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଗାଁରେ ଲାଗି ରହିଥିବା ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ଗତ ୪ବର୍ଷ ତଳେ ହ୍ରସା ଟ୍ରଷ୍ଟ ନାମକ ଏକ ସଂସ୍ଥା ଦ୍ୱାରା ଗାଁ ନିକଟରେ ଥିବା ପାହାଡରୁ ଝରି ଯାଉଥିବା ଝରଣା ପାଣିକୁ ଏକ ଟାଙ୍କି ଦ୍ୱାରା ସଂରକ୍ଷିତ କରି ସେଠାରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା । ଏହି ବ୍ୟବସ୍ଥାରେ ଗାଁ ଲୋକେ ପାଇପ ଯୋଗେ ପାନୀୟ ଜଳ ପାଇବା ସହ ନିଜ ଚାଷ ଜମିରେ ମଧ୍ୟ ଝରଣା ପାଣିକୁ ବ୍ୟବହାର କରିପାରିଥିଲେ । ତେବେ ଚଳିତ ମାସରେ ଗାଁରେ ଥିବା ଦୁଇ ସାହି ମଧ୍ୟରେ କିଛି ବୁଝମଣାକୁ ନେଇ ବିବାଦ ଦେଖା ଦେଇଥିବାରୁ ଗାଁ ମୁଖିଆଙ୍କ ସମେତ ଗାଁର ଅଙ୍ଗନବାଡି କର୍ମୀ,ଶିକ୍ଷା ସହାୟକ ଓ ଅନ୍ୟ କିଛି ଲୋକେ ମିଶି ଜଳ ଯୋଗାଣର ମାଧ୍ୟମ ସାଜିଥିବା ପାଇପକୁ ସଂରକ୍ଷିତ ପାଣି ଟ୍ୟାଙ୍କ ନିକଟରୁ ଭାଙ୍ଗି ଦେବା ସହ ପାଇପକୁ କାଢି ନେଇ ଯାଇଥିବା ଦାବିପତ୍ରରେ ଉଲ୍ଳେଖ ରହିଛି । ଏ ନେଇ ବିଷମକଟକ ଥାନାରେ ଲିଖିତ ଅଭିଯୋଗ ହୋଇ୍‌ଥିବା ବେଳେ ପୋଲିସ ପକ୍ଷରୁ ଉଭୟ ଗୋଷ୍ଠୀଙ୍କୁ ବୁଝାମଣା କରାଯାଇଥିବା ସ୍ୱତେ ପାଇପ ଭାଙ୍ଗି ଥିବା ଗୋଷ୍ଠୀ ନିଜର ଭୁଲ୍ ସ୍ୱୀକାର ନ କରିବା ସହ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଗ୍ରାମବାସୀଙ୍କୁ ଗାଁ ରାସ୍ତା ଦେଇ ଯାତାୟାତ କରିବା, ଗାଁରେ ଥିବା ଅନ୍ୟ ନଳକୂପରୁ ପାଣି ନେବା ଉପରେ ରୋକ୍ ଲଗାଇବା ସହ ଗାଁରୁ ତଡିଦେବାର ଧମକ ଦେଉଥିବାରୁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ନେଇ ଗାଁର ଦାସୁ ପ୍ରସ୍କା, ଶଙ୍କର ପ୍ରାସ୍କା, ବନମାଳି ପ୍ରସ୍କା, ଜାଗିଲି ପ୍ରାସ୍କା ପ୍ରମୁଖ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.