ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନାଗରିକ ବିକାଶ ସଂଗଠନ କଳାହାଣ୍ଡି ପକ୍ଷରୁ ବୁଧବାର ୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଜରିଆରେ ଅଚଳ ଥିବା ନଳକୂପ ଓ ଷ୍ଟାଣ୍ଡ ପୋଷ୍ଟକୁ ତୁରନ୍ତ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଉ, ଜଳ କଷ୍ଟ ଅଞ୍ଚଳ ଗୁଡିକକୁ ଚିହ୍ନଟ କରି ତୁରନ୍ତ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ, ଜଳ ଯୋଗାଣ ମିଶନ ଏବଂ ରାଜ୍ୟର ମେଗା ପାଇପ୍ ଜଳ ଯୋଗାଣ “ବସୁଧା” ଭଳି ପ୍ରମୁଖ ଯୋଜନା ଜଳର ଅନେକ ସମସ୍ୟା ସମାଧାନ କରିପାରିବ, ତେଣୁ ଏହାର କାର୍ଯ୍ୟନ୍ବୟକୁ ତ୍ବରାନ୍ବିତ କରି ତୁରନ୍ତ ସମସ୍ତ ପାନୀୟ ଜଳର ସମାଧାନ, ସ୍କୁଲ ଛାଡ଼ିଥିବା କିଶୋରୀ ମାନଙ୍କ ପାଇଁ ପୁନଃ ଶିକ୍ଷା ଗ୍ରହଣ ବ୍ୟବସ୍ଥା କରାଯାଉ, ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ନିଜସ୍ଵ ଗୃହ ସୁନିଶ୍ଚିତ କରାଯାଉ ଆଦି ଦାବି ଗୁଡ଼ିକ ଉଲ୍ଲେଖ ରହିଛି। ନାଗରିକ ବିକାଶ ସଂଗଠନ କୋକସରା ବ୍ଲକ ସଭାନେତ୍ରୀ ରଜନୀକାନ୍ତୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରଥମେ ସ୍ଥାନୀୟ ବସ୍ ଷ୍ଟାଣ୍ଡ ନିକଟରୁ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଳୋଗାନ ଦେଇ ବ୍ଳକ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ। ପରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ନଥିବାରୁ ଉପ ବିଭାଗ ଅଧିକାରୀ ତଥା ବ୍ଳକ ହିସାବ ରକ୍ଷକ ଅଚ୍ୟୁତାନନ୍ଦ ନାଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ମିଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ବ୍ଳକ ସଂଯୋଜକ ଉପେନ୍ଦ୍ର ସୁନାନୀ, ତ୍ରିନାଥ ବେଶ୍ରା, ମୁକ୍ତା ଠାକୁର, ବୀଣାପାଣି ସୁନାନୀ, ପ୍ରେମସିଲା ପାଣିଗ୍ରାହୀଙ୍କ ସମେତ ବ୍ଳକର ୨୨ ଟି ପଞ୍ଚାୟତର ଶତାଧିକ ମହିଳା ଉପସ୍ଥିତ ଥିଲେ।