ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟଙ୍କ ଦଣ୍ଡାଦେଶ, ସଦସ୍ୟତା ରଦ୍ଦ ପରେ ଏବେ ଆଉ ଏକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ରାହୁଲ ଗାନ୍ଧୀ । ସଦସ୍ୟତା ପଦ ଯିବା ପରେ ଏବେ ତାଙ୍କୁ ସରକାରୀ ଘର ଛାଡିବା ପାଇଁ ନୋଟିସ ଆସିଛି । ଏପ୍ରିଲ ୨୨ ସୁଦ୍ଧା ରାହୁଲଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନୋଟିସ ଜାରି କରାଯାଇଛି। ୨୦୦୫ରେ ରାହୁଲ ଲୋକସଭାକୁ ସାଂସଦ ଭାବେ ମନୋନୀତ ହୋଇ ଆସିଥିଲେ । ସାଂସଦ ହେବା ପରେ ତାଙ୍କୁ ୧୨, ତୁଗଲକ ଲେନରେ ସରକାରୀ ବାସଭବନ ମିଳିଥିଲା । ସେହିଦିନଠାରୁ ରାହୁଲ ସେଠାରେ ରହି ଆସୁଛନ୍ତି । ସଦସ୍ୟତା ପଦ ହରାଇବା ପରେ ଏବେ ତାଙ୍କୁ ଏହି ଘର ଛାଡ଼ିବାକୁ ପଡିବ । ହାଉସିଂ କମିଟିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସାଂସଦ ପଦ ହରାଇବାର ମାସକ ପରେ ବଙ୍ଗଳା ଛାଡିବାକୁ ପଡ଼ିବ । ହେଲେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । କଂଗ୍ରେସ ସାସଂଦ ପ୍ରମୋଦ ତିୱାରୀ କହିଛନ୍ତି, ନୋଟିସ ଦିଆଯିବା ପରେ ବି ୩୦ ଦିନ ଜଣେ ଏହି ଘରେ ରହିପାରିବ । ୩୦ ଦିନ ପରେ ଜଣେ ବଜାର ଦର ଅନୁଯାୟୀ ଭଡା ଦେଇ ବି ଏହି ଘରେ ରହିପାରିବ । ବିଜେପି ଜାଣିଶୁଣି ଆକ୍ରୋଶମୂଳକ ଭାବେ ଏପରି କରୁଛି ବୋଲି ସେ ସମାଲୋଚନା କରି କହିଛନ୍ତି । ସେହିପରି କଂଗ୍ରେସ ସାସଂଦ ତଥା ଜାତୀୟ ମୁଖପାତ୍ର ଡ. ନାସିର ହୁସେନ ଏହି ଘଟଣାରେ ବିଜେପିକୁ ସମାଲୋଚନା କରି କହିଛନ୍ତି, ଏହା ବିଜେପିର କୁଟ ଚକ୍ରାନ୍ତ । ରାହୁଲଙ୍କ ସ୍ୱରକୁ ଚପାଇ ଦେବା ପାଇଁ ସବୁପ୍ରକାର ହୀନ ଚକ୍ରାନ୍ତ କରୁଛି ଦଳ । ଆମର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କୁ ସଂସଦରୁ ବାହାର କରିଦେବା ପାଇଁ ଚେଷ୍ଟା ଚଳାଇନ୍ତି । ଏପରି ବ୍ୟବହାର ବିଜେପି ପାଇଁ ନୂଆ ନୁହେଁ ବୋଲି ସେ କହିଛନ୍ତି ।