କର୍ଣ୍ଣାଟକ ନିର୍ବାଚନ, ନିଦ ହଜାଇଦେଲେଣି ରାହୁଲ !

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ବହୁ ଦିଗରୁ ଗୁରୁତ୍ୱ ବହନ କରୁଛି। ଗୋଟିଏ ପଟେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆଗାମୀ ନିର୍ବାଚନ ପାଇଁ ଗୋଟେ ବଡ଼ ବାର୍ତା ହେବ। ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟ ପଦ ରଦ୍ଦ ପରେ ବିଜେପି ବିରୋଧରେ ଯେଉଁ ଜନ ଅସନ୍ତୋଷ ସୃଷ୍ଟି ହେଉଥିବା କୁହାଯାଉଛି ତାର ପ୍ରତିଫଳନ କର୍ଣ୍ଣାଟକ ନିର୍ବାଚନରେ କେତେ ଦେଖିବାକୁ ମିଳୁଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଯଦି ରାହୁଲ ଇମ୍ପାକ୍ଟ କର୍ଣ୍ଣାଟକ ନିର୍ବାଚନରେ ପଡେ ତା ହେଲେ ବିଜେପି ଓ ମୋଦିଙ୍କ ବିରୋଧରେ ଏକ ବାର୍ତ୍ତା ସାରା ଦେଶକୁ ଯାଇପାରେ ବୋଲି ଆଲୋଚନା ହେଉଛି। ଏହାକୁ ଆଖି ଆଗରେ ରଖି କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। ସେଥିପାଇଁ କଂଗ୍ରେସର ସିଇସି ବୈଠକରେ ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ ଆଲୋଚନା କରିଥିବା କୁହାଯାଉଛି। ସେପଟେ ବିଜେପି ପାଇଁ ଏହି ନିର୍ବାଚନ ଏକ ସମ୍ମାନର ଲଢେଇ ବୋଲି କୁହାଯାଉଛି। ଯଦି ବିଜେପି କର୍ଣ୍ଣାଟକରେ ଦୁର୍ବଳ ପ୍ରଦର୍ଶନ କରେ ତାହେଲେ ଲୋକେ କଂଗ୍ରେସକୁ ଚାହୁଁଛନ୍ତି ବୋଲି ବାର୍ତା ଯିବ। ଯାହାକି ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ। ତେଣୁ ବିଜେପି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରିଛି। ମୋଦି କର୍ଣ୍ଣାଟକରେ ୧୫ ରୁ ଅଧିକ ରାଲି କରିବେ ବୋଲି କୁହାଯାଉଛି। ଯେଉଁ ମାଧ୍ୟମରେ ବିଜେପି ସପକ୍ଷରେ ଏକ ବାତାବରଣ ପ୍ରସ୍ତୁତ କରିବାକୁ ଯୋଜନା ହେଉଥିବା କୁହାଯାଉଛି। ସେପଟେ ଜେଡିଏସ ମଧ୍ୟ ନିର୍ବାଚନରେ ସଫଳ ହେବାକୁ ଯୋଜନା କରୁଛି। ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି ସବୁ ଆସନରେ ପ୍ରାର୍ଥୀ ଦେଉଥିବାରୁ ଏହାର ପରିଣାମ କାହା ସପକ୍ଷରେ ଯିବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ଗୁଜୁରାଟ ନିର୍ବାଚନରେ ଆପ ପ୍ରାର୍ଥୀ ଦେବାରୁ ବିରୋଧୀ ଭୋଟ ଭାଗ ଭାଗ ହେବା ସହ କଂଗ୍ରେସ ଖରାପ ପ୍ରଦର୍ଶନ କଲା ଓ ବିଜେପି ବଡ଼ ସଫଳତା ପାଇଲା ବୋଲି ଆଲୋଚନା ହୁଏ। କିନ୍ତୁ କର୍ଣ୍ଣାଟକ ସ୍ଥିତି ଅଲଗା ଓ ଏଠି ସେଭଳି ହେବନାହିଁ ବୋଲି କୁହାଯାଉଛି। ଏପରିକି କଂଗ୍ରେସର ଡି କେ ଶିବକୁମାରଙ୍କ ରଣନୀତି କଂଗ୍ରେସକୁ ଲାଭଦାୟୀ ହେବା ସହ ରାହୁଲ ଫ୍ୟାକ୍ଟର କାମ କରିବ ବୋଲି ଆଲୋଚନା ହେଉଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.