ରାୟଗଡ,୩/୫ : ଗୁରୁବାର ବିଳମ୍ବିତ ରାତ୍ରରୁ ଆରମ୍ଭ ହୋଇଯାଇଛି ବର୍ଷା । ଅତି ଭୀଷଣ ବାତ୍ୟା ଫୋନି ପ୍ରଭାବରେ ରାୟଗଡ ଜିଲ୍ଳାରେ ପାଗ ପରିବର୍ତନ ହେବା ସହ ପବନର ବେଗ ବଢିଛି । ତେବେ ଭାରତୀୟ ପାଣିପାଗ ବିଭାଗ ଓ ରାଜ୍ୟ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସର୍ତକତାକୁ ନେଇ ଏସଆରସି ପକ୍ଷରୁ ଜାରି କରାଯାଇଥିବା ରେର୍ଡ ଆଲର୍ଟକୁ ଗୁରୁତର ସହ ନେଇ ଜିଲ୍ଳାରେ ଜିରୋ କାଜୁଆଲଟି ନିମନ୍ତେ ପୂରାପୁରି ଦମରେ ଲାଗି ପଡିଛି ରାୟଗଡ ଜିଲ୍ଳା ପ୍ରଶାସନ ।
ପରିସ୍ଥିତିର ମୁକାବିଲା ପାଇଁ ୩ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ୧୧୭ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ
ରାୟଗଡ ସଦର ବ୍ଳକର ହାଟ ଶେଷଖାଲ, ବିଷମକଟକ ବ୍ଳକର କୁଟ୍ରାଗଡ ଓ ଗୁଣପୁର ବ୍ଳକର ବିକ୍ରମପୁର ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ୧୧୭ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ରାୟଗଡ ପୈାରପରିଷଦରେ ୬ଟି, ଗୁଣପୁର ବ୍ଳକରେ ୧୨ଟି, ଗୁଣପୁର ପୈାର ପରିଷଦରେ ୫ଟି, ଗୁଡାରୀ ବ୍ଳକରେ ୭ଟି, ପଦ୍ମପୁର ବ୍ଳକରେ ୪ଟି, ରାମନାଗୁଡା ବ୍ଳକରେ ୧୦ଟି, ମୁନିଗୁଡା ବ୍ଳକରେ ୧୦ଟି ଓ ଚନ୍ଦ୍ରପୁର ବ୍ଳକରେ ୨ଟି ସମୁଦାୟ ୬୨ଟି ଆଶ୍ରୟସ୍ଥଳୀରେ ୧୦୧୪୧ଜଣ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ଉତ୍ତମ ବନ୍ଦୋବସ୍ତ : ତଦାରଖ କରୁଛନ୍ତି ଉଚ୍ଚ ପଦସ୍ଥ କର୍ମଚାରୀ
ଏଥିରେ ଜିଲ୍ଳାର ୨୭ଟି ଗ୍ରାମ ପଂଚାୟତର ୭୦ଟି ଗ୍ରାମରୁ ୫୧୫୦ଜଣ ପୁରୁଷ ଓ ୪୯୯୧ଜଣ ମହିଳା ରହିଥିବା ରିପୋର୍ଟରୁ ଜଣାପଡିଛି । ସେହିପରି ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ପାଇଁ ସମସ୍ତ ଆଶ୍ରୟସ୍ଥଳୀଗୁଡିକରେ ବିଦ୍ୟୁତ, ପାନୀୟ ଜଳ, ରନ୍ଧାଖାଦ୍ୟ ସହ ଔଷଧ ଆଦି ଜରୁରୀକାଳୀନ ସମସ୍ତ ସାମଗ୍ରୀ ମହଜୁଦ ରଖାଯାଇ ବଣ୍ଟନ କରାଯାଉଥିବା ବେଳେ ଗର୍ଭବତୀ ମହିଳାମାନଙ୍କ ପାଇଁ ନିକଟସ୍ଥ ମାଁ ଗୃହ ତଥା ସ୍ୱାସ୍ଥ୍ରକେନ୍ଦ୍ର ଗୁଡିକରେ ପ୍ରସବ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସାମୁଦ୍ରିକ ବାତ୍ୟା “ଫେନି”କୁ ମୁକାବିଲା ଦିଗରେ ଜିଲ୍ଳା ପ୍ରଶାସନର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ରହିଥିବା ବେଳେ ଜିଲ୍ଳାର ସମସ୍ତ ଆଶ୍ରୟସ୍ଥଳୀ ଗୁଡିକର ତଦାରଖ ନିମନ୍ତେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଡିକୁ ଘଡି ଛୁଟୁଥିବା ଦେଖିବାକୁ ମିଳିଛି ।
ଆହୁରି ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ଉଦ୍ୟମ ଜାରି ରହିଛି – ଉପଜିଲ୍ଳାପାଳ
ଅଗ୍ନିଶମ ବିଭାଗ ତରଫରୁ ସମସ୍ତ ଜରୁରୀକାଳନୀ ସଂରଜାମ ଗୁଡିକକୁ ନେଇ ପ୍ରଭାବିତ ଅଂଚଳରେ କର୍ମଚାରୀମାନେ ନିୟୋଜିତ ହୋଇଥିବା ବେଳେ ଓଡ୍ରାଫ୍ ଟିମ୍ ମଧ୍ୟ ଜିଲ୍ଳାରେ ପଂହଚି ମୁତୟନ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରରୁ ଲଗାତାର ଭାବେ ଝିପିଝିପି ବର୍ଷା ଲାଗି ରହିଥିବା ଦେଖିବାକୁ ମିିଳିଛି । ହାଟଶେଷଖାଲ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଆଖପାଖ ପ୍ରଭାବିତ ଅଂଚଳର ପାଖାପାଖି ୬୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆହୁରି ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ଉଦ୍ୟମ ଜାରି ରହିଥିବା ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଥିବା ବେଳେ ସ୍ଥାନାନ୍ତରିତ ଲୋକଙ୍କୁ ସମସ୍ତ ସୁବିଧା ସହଯୋଗ ଯୋଗାଇ ଦିଆଯାଉଥିବା ଉପରେ ତଦାରଖ କରିଛନ୍ତି ରାୟଗଡ ତହସିଲଦାର ଉମାକାନ୍ତ ବେହେରା ଓ ବିଡିଓ ରାଜେନ୍ଦ୍ର ମାଝି ।
ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ସନ୍ତୋଷ ବ୍ୟକ୍ତ କଲେ ଜନତା
ତେବେ ଆଶ୍ରୟସ୍ଥଳୀରେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ମିଳୁଛି ବୋଲି ସ୍ଥାନାନ୍ତରିତ ଲୋକମାନେ ପ୍ରକାଶ କରିଛନ୍ତି । ସେହିପରି ସଦର ବ୍ଳକର କୁମୁଟିପେଣ୍ଠ ଉଗ୍ରତାରା ହାଇସ୍କୁଲରେ ୫ଟି ପରିବାରର ୨୫ଜଣଙ୍କୁ ଆଗୁଆ ଥଇଥାନ କରାଯାଇଥିବା ବେଳେ ଗୁରୁବାର ସଂଧ୍ୟାରୁ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ଆଜି ଠାରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ ବୋଲି ଏବିଡିଓ ନୃସିଂହଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗୁରୁବାର ଦିନଠାରୁ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଚାଷରେ ଅମଳ କରିଥିବା ଧାନଗୁଡିକକୁ ପଲିଥିନ୍ ଘୋଡାଇ ରଖୁଥିଲେ ହେଁ ମନରେ ଭୟ ସଂଚାରୀ ରଖିଛନ୍ତି ଚାଷିମାନେ ।
ସତର୍କ ରହିବାକୁ ଜନତାଙ୍କୁ ନିବେଦନ
ପ୍ରଶାସନ ଡାକବାଜି ଯନ୍ତ୍ର ଆଦିରେ ପ୍ରଭାବିତ ଅଂଚଳର ଲୋକମାନଙ୍କୁ ଫନି ବାତ୍ୟା ସଂପର୍କରେ ଅବଗତ କରାଇବା ସହ ସତର୍କ ହୋଇ ରହିବାକୁ ପରାମର୍ଶ ଦେଉଥିବା ବେଳେ ସୋସିଆଲ ମିଡିଆ, ଟିଭି, ରେଡିଓ ଆଦିରେ ପ୍ରସାରିତ ବାତ୍ୟା ଖବରକୁ ନେଇ ଆହୁରି ସତର୍କ ରହିବାକୁ ଚେଷ୍ଠା କରୁଛନ୍ତି ଲୋକମାନେ । ସେହିପରି ରାୟଗଡ ପାଇଁ ୧୫୦ରୁ ଉର୍ଦ୍ଧ ଶୁଖିଲା ଖାଦ୍ୟ ପ୍ୟାକେଟ୍ ମହଜୁଦ ରଖାଯାଇଥିବା ବେଳେ ପ୍ରଭାବିତ ଅଂଚଳଗୁଡିକରେ ଥିବା ଛୋଟବଡ ଦୋକାନଗୁଡିକରୁ ମଧ୍ୟ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ରହିଛି ।
ବାତିଲ ହେଲା ୩ଟି ଟ୍ରେନ
ରେଳସେବାରେ ମଧ୍ୟ କିଛି ଏକ୍ସପ୍ରେସ ଟ୍ରେନ ବାତିଲ ହୋଇଥିବା ସୂଚନା ମିିଳିଥିବା ବେଳେ ରାୟଗଡ ମଧ୍ୟ ଦେଇ ଯାଉଥିବା ଜଗଦଲପୁର-ଭୁବନେଶ୍ୱର-ଜୁନାଗଡ ଲିଙ୍କ ହୀରାଖଣ୍ଡ ଏକ୍ସପ୍ରେସ, ପୁରୀ – ଅହମ୍ମଦାବାଦ ଏକ୍ସପ୍ରେସ ଓ ଗାନ୍ଧୀଧାମ ଏକ୍ସପ୍ରେସ ୩ଟି ଟ୍ରେନକୁ ପୂର୍ବତଟ ରେଳବାଇ ପକ୍ଷରୁ ବାତିଲ କରାଯାଇଥିବା ସୂଚନା ମିଳିଛି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇