ଏସିଆ କପ ବାତିଲ ହେବା ନେଇ ଭବିଷ୍ୟବାଣୀ କଲା ପାକିସ୍ତାନ ଗଣମାଧ୍ୟମ

ଓଡ଼ିଆ ବାର୍ତ୍ତା/ କରାଚୀ: ଚଳିତ ବର୍ଷ ସେପ୍ଟମ୍ବରରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ କ୍ରିକେଟ ବାତିଲ ହୋଇପାରେ ବୋଲି ସେଠାକାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହା ବଦଳରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୫ଟି ଦେଶକୁ ନେଇ ଏକ ଟୁର୍ଣ୍ଣାମେଂଟ ଆୟୋଜନ କରିବ । ପାକିସ୍ତାନ ବ୍ୟତୀତ ଏସିଆର ଅନ୍ୟ ସମସ୍ତ ଟିମ ଏଥିରେ ଅଂଶଗ୍ରହଣ କରିବେ । ତେବେ ପାକିସ୍ତାନ ବୋର୍ଡ ଏହି ଖବରକୁ ଖଣ୍ଡନ କରିଛି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ । ଏ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇ ନାହିଁ । ଆଇସିସି କ୍ୟାଲେଣ୍ଡରରେ ପାକିସ୍ତାନରେ ଏସିଆକପ ହେବ ବୋଲି ସ୍ଥିର ହୋଇଥିଲା । ବିସିସିଆଇ ପାକିସ୍ତାନରେ ଯାଇ ଭାରତ ମ୍ୟାଚ ଖେଳିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି । ନିରପେକ୍ଷ ସ୍ଥାନରେ ଏହାକୁ ଆୟୋଜନ କରିବା ପାଇଁ ବିସିସିଆଇ ଅନୁରୋଧ କରିଥିଲେ ମଧ୍ୟ ପାକିସ୍ତାନ ରାଜି ହୋଇ ନ ଥିଲା । ଶେଷରେ ଭାରତ ମ୍ୟାଚ ନିରପେକ୍ଷ ସ୍ଥାନରେ ଏବଂ ଅନ୍ୟ ମୁକାବିଲା ପାକିସ୍ତାନରେ ହେବ ବୋଲି ସ୍ଥିର ହୋଇଥିଲା । କେତେକ ରିପୋର୍ଟ ଅନୁସାରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନର ହାଇବ୍ରିଡ ମଡେଲକୁ ପସନ୍ଦ କରି ନ ଥିଲେ । ନିକଟରେ ବିସିସିଆଇ ସେକ୍ରେଟାରୀ ଓ ଏସିଆ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଜୟ ଶାହ ସ୍ପଷ୍ଟ କରିଥିଲେ ଯେ, ଏସିଆ କପ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ । ବିଗତ ୧୦ ବର୍ଷରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ଟି ମ୍ୟାଚ ଖେଳାଯାଇଛି । ୨୦୦୭ ପରଠାରୁ ଉଭୟ ଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ ମଧ୍ୟ ଖେଳାଯାଇ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.