ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

ସାମିଲ ହେଲେ ଶତାଧିକ ମହିଳା ଓ ପୁରୁଷ ଭକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏନେଇ ଆଜି ସୋମବାର ଅପରାହ୍ନ ୫ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସର୍ଗିଗୁଡାର ଶତାଧିକ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ଏଥିରେ ସାମିଲ ହୋଇଥିଲେ । ସାନ୍ଦୁଲ ନଦୀରେ ପୂଜା ପାଠ ପରେ କଳସ ରେ ଜଳନେଇ ସର୍ଗିଗୁଡା ନାମଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୪ ପ୍ରହର ନାମଯଜ୍ଞର କର୍ତ୍ତା ଗୌରଚନ୍ଦ୍ର ବେହେରା ଦମ୍ପତି ମୁଖ୍ୟ କଳସ ମୁଣ୍ଡେଇ କଳସ ଯାତ୍ରାର ସର୍ବାଗ୍ରେ ଚାଲିଥିଲେ । ସଂର୍କୀର୍ତ୍ତନ ମଣ୍ଡଳୀ ସହ ଏହି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

କଳସ ଯାତ୍ରୀ ସମୁହ ନାମଯଜ୍ଞ ମଣ୍ଡପକୁ କଳସ ନେଇ ଆସିବା ପରେ ବ୍ରହ୍ମା ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ସହଯୋଗୀ ଭାବରେ ପାଚକ ନାରାୟଣ ପାଢୀ ମଣ୍ଡପ ଭିତରେ ଓ ମଣ୍ଡପ ପରିସରରେ ସର୍ଗିଗୁଡାର ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ କଳସ ସ୍ଥାପନା କରିବା ସହ ବିଲ୍ୱ ବରଣ ଓ ଅଧିବାସ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଗତ ବର୍ଷର ଦଧିହାଣ୍ଡି କଳସର ପୂଜା ଗୁଆକୁ ପାଛୋଟି ଅଣାଯାଇଥିଲା । ନାମଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଆସନ୍ତା କାଲି ମଙ୍ଗଳବାର ସକାଳ ୬.୪୫ ସମୟରେ ପବିତ୍ର ହରେ କୃଷ୍ଣ ନାମ ଆରମ୍ଭ ହେବ । ଏହା ମଙ୍ଗଳବାର, ବୁଧବାର ଓ ଗୁରୁବାର ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ । ଏଥିରେ ଜପକ ଭାବରେ ବୃନ୍ଦାବନ ମିଶ୍ର ଓ ତ୍ରିଲୋଚନ ତ୍ରିପାଠୀ ଦାଇତ୍ୱ ନିବ୭ାହନ କରୁଛନ୍ତି । ଶୁକ୍ରବାର ସକାଳ ୬.୪୫ ରେ ନାମ ଛାଡିବା ସହ ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି । ନାମଯଜ୍ଞ ପାଇଁ ସ୍ଥାୟୀ ମଣ୍ଡପକୁ ନବ ବଧୁ ଭଳି ସଜାଇ ଦିଆଯାଇଥିବା ବେଳେ ସର୍ଗିଗୁଡା ଗ୍ରାମ ଉତ୍ସଵ ମୁଖର ହୋଇଉଠିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.