ଜୀବନ-ଯନ୍ତ୍ରଣାର ଦୋଛକିରେ ରୂପାଧର

ସ୍ବାମୀଙ୍କ ଦେହରେ ବସା ବାନ୍ଧି ରହିଛି କର୍କଟ ରୋଗ, ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଦେହରେ ବସା ବାନ୍ଧି ରହିଛି କର୍କଟ ରୋଗ । ପ୍ରତିକ୍ଷଣରେ ଜୀବନକୁ କଳବଳ କରୁଛି । ଯନ୍ତ୍ରଣାରେ ଛଟପଟ ହୋଇ ଉଠୁଛି ଶରୀର । ସ୍ବାମୀଙ୍କ ଏପରି କଷ୍ଟ ଦେଖି ଆଖିରୁ ଲୁହ ଗଡେଇ ଚାଲିଛନ୍ତି ଧର୍ମପତ୍ନୀ । ସହାୟତା ପାଇଁ ହାତ ପାତିଛି ସ୍ତ୍ରୀ । ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅ – ମୋ ସଙ୍ଖା ସିନ୍ଦୁରକୁ ଅକ୍ଷତ ରଖ । ସତରେ ଏହା କୈାଣସି କାହାଣୀ ନୁହେଁ । ଏହା ଏକ ଗରୀବ ପରିବାରର  କରୁଣ ଦୃଶ୍ୟ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ ଅନ୍ତର୍ଗତ ବୋର୍ଡ଼ା ଗ୍ରାମରେ । ଏହି ଗ୍ରାମର ରୂପାଧର ତାଣ୍ଡି (୩୫) ଗତ ଦୁଇ ବର୍ଷ ତଳୁ ବ୍ଲଡ଼କ୍ୟାନ୍ସର ରୋଗରେ ପୀଡିତ ହୋଇଛନ୍ତି । ଭବାନୀପାଟଣା ଡାକ୍ତରଖାନା ଠାରୁ ଆରମ୍ଭ କରି ବୁର୍ଲା ଭୁବନେଶ୍ୱର, କଟକ  ଡାକ୍ତର ଖାନାରେ ଚିକିତ୍ସା କରାଇଛନ୍ତି । ହେଲେ ଉପଶମ ପାଇବା ଦୂରର କଥା ଦିନ କୁ ଦିନ ରୋଗ ବଢିଚାଲିଛି । ଏବେ ରୋଗ ଶଯ୍ୟାରେ ମରଣ ସହ ସଂଗ୍ରାମ କରୁଛନ୍ତି । ଘରରେ ଥିବା ସବୁ ପ୍ରକାର ଜିନିଷ ପତ୍ର ବିକ୍ରି କରି ଏ ଡାକ୍ତରଖାନା ରୁ ସେ ଡାକ୍ତର ଯାଇ ଚିକିତ୍ସା କରାଇଥିଲେ । ଶେଷରେ ନିଜ ବାସନ କୁସନ ବି ବିକ୍ରି କରି ଚିକିତ୍ସିତ ହେଲେ । କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ଏବେ ଘର ଚାରିକାନ୍ଥ ଆବଦ୍ଧ କୋଠରୀ ଭିତରେ ଖଟ ଉପରେ ଛଟପଟ ହେଉଛନ୍ତି । କହିବାକୁ ଗଲେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଡାକ୍ତରଙ୍କ କହିବା ମତେ ଏହିରୋଗର ଉନ୍ନତମାନର ଚିକିତ୍ସା ଆବଶ୍ୟକ । ସେଥିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ଥିବା ଡାକ୍ତର କହିଥିବା ସ୍ତ୍ରୀ ସଜନା ତାଣ୍ଡି ପ୍ରକାଶ କରନ୍ତି । ପରିବାର ଅତି ଗରିବ ଶ୍ରେଣୀର ଲୋକ ହୋଇଥିବା ଯୋଗୁଁ ଏତେ ପରିମାଣ ଟଙ୍କା ଯୋଗାଡ କରିବା ସମ୍ଭବ ହେଉନାହିଁ । ପୀଡିତ ଜଣ ହିଁ ପନିପରିବା ବ୍ୟବସାୟ କରି ପରିବାରକୁ ପ୍ରତିପୋଷଣ କରୁଥିଲେ । ହେଲେ ଏବେ ସେ ରୋଗ ଶଯ୍ୟାରେ ପଡିରହିଥିବା ବେଳେ ଅନାଟନ ଭିତରେ ପରିବାର । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଡାକ୍ତର ଖାନାରେ ଚିକିତ୍ସା କରି ସାରିଛନ୍ତି । ପରିବାରଙ୍କ କହିବା ମତେ କାର୍ଡରେ ଯେତେ ଟଙ୍କା ଥିଲା ଚିକିତ୍ସା କରାଇ ଶେଷ ହୋଇଯାଇଥିବା ଜଣାପଡିଛି । ବର୍ତ୍ତମାନ ଅର୍ଥର ଆବଶ୍ୟକ ରହିଥିବା ବେଳେ ତାଙ୍କ ସ୍ତ୍ରୀ ସରକାରଙ୍କୁ ସହାୟତା ପାଇଁ ହାତ ପାତିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ରୂପାଧର ପ୍ରତି ଦୃଷ୍ଟି ଦେଇ ତାଙ୍କ ଉନ୍ନତ ଚିକିତ୍ସା କରାଇଲେ ହୁଏତ ପରିବାରରେ ପୁଣି ହସଖୁସି ଫେରି ଆସି ପାରନ୍ତା । ବର୍ତ୍ତମାନ ତାଙ୍କର ଗୋଟାଏ ୨ବର୍ଷର ଶିଶୁ, ବିଧମା ମାଆ ଓ ସ୍ତ୍ରୀକୁ ନେଇ ଘର ସଂସାର । ରୂପାଧରଙ୍କ ଚିକିତ୍ସା ଜରୁରୀ ଥିବା ବେଳେ ବିଧମା ମାଆ ଓ ସ୍ତ୍ରୀ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ରୂପାଧର ପ୍ରଶାସନ ପକ୍ଷରୁ ଉତ୍ତମ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.