ଆମେରିକାରୁ ଭାରତ ଆସିବ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ଦୋଷୀ ତହବ୍ବୁର ରାଣା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ଦୋଷୀ ମୂଳ ପାକିସ୍ତାନୀ ନାଗରିକ ଓ କାନାଡ଼ା ବ୍ୟବସାୟୀ ତହବ୍ବୁର ରାଣାକୁ ଆମେରିକାରୁ ଭାରତ ଅଣାଯିବ। ଏନେଇ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ଆକ୍ରମଣରେ ତଦନ୍ତ କରୁଥିବା ଏନ୍‌ଆଇଏ ତହବ୍ବୁର ରାଣାର ପ୍ରତ୍ୟର୍ପଣ ନେଇ ଆମେରିକାକୁ ଅନୁରୋଧ କରିଥିଲା। ଏବେ ମାମଲାର ଶୁଣାଣି କରି କାର୍ଲିଫନିଆର ଏକ କୋର୍ଟ ରାଣାଙ୍କ ପ୍ରତ୍ୟର୍ପଣ ନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲସ୍ ଆଞ୍ଜେଲେସ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ କୋର୍ଟ ବିଚାରପତି ଜ୍ୟାକଲିନ ଚୁଲଜାନ ମେ ୧୬ ତାରିଖରେ ଏସମ୍ପର୍କରେ ରାୟ ଶୁଣାଇଛନ୍ତି। ସେ କହିଛନ୍ତି ଯେ ଉପରୋକ୍ତ ସମସ୍ତ ଘଟଣାକୁ ଦେଖିଲେ ଯେଉଁ ଅଭିଯୋଗ ପାଇଁ ଅଭିଯୁକ୍ତ ରାଣାଙ୍କୁ ପ୍ରତ୍ୟର୍ପଣ କରିବା ନେଇ ଆବେଦନ କରାଯାଇଛି ୬୨ ବର୍ଷୀୟ ରାଣା ଏଥିପାଇଁ ଯୋଗ୍ୟ। ଏଥିପାଇଁ ଆମେରିକା ଏହାର ବ୍ୟବସ୍ଥା କରୁଛି। କୋର୍ଟଙ୍କ ରାୟ ପରେ ଏନ୍ଆଇଏ କହିଛି ଯେ ରାଷ୍ଟ୍ରଦୂତଙ୍କ ସହଯୋଗରେ ତହବ୍ବୁର ରାଣାକୁ ଭାରତ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ଅଛି। କୋର୍ଟରେ ଶୁଣାଣି ବେଳେ ଆମେରିକା ଓକିଲ ତର୍କ ରଖିଥିଲେ ଯେ ରାଣା ତାଙ୍କର ବ୍ୟାଲ୍ୟ ବନ୍ଧୁ ପାକିସ୍ତାନୀ ଆମେରିକୀୟ ନାଗରିକ ଡେଭିଡ୍ କୋଲେମାନ ହେଡ୍‌ଲୀ ଲସ୍କର ଇ ତାଇବା ସହ ସମ୍ପୃକ୍ତ ଥିଲେ ବୋଲି ଜାଣିଥିଲେ। ତଥାପି ସେ ତାଙ୍କର ଆତଙ୍କବାଦୀ କାର୍ଯ୍ୟକଳାପକୁ ସୁରକ୍ଷା ଦେଉଥିଲେ। ସେ ଆତଙ୍କାଦୀ ସଂଗଠନ ଓ ଏହାର ସହଯୋଗୀଙ୍କୁ ସମର୍ଥନ କରୁଥିଲେ। ରାଣା ହେଡ୍‌ଲୀର ବୈଠକ ବିଷୟରେ ଜାଣିଥିଲା। ସେ ଭାରତ ଉପରେ ଆକ୍ରମଣ କରିବାକୁ କଣ ଆଲୋଚନା କରିଥିଲା ତାହା ବି ଜାଣିଥିଲା। ଏମିତିକି କେଉଁ ସବୁ ସ୍ଥାନକୁ ଆକ୍ରମଣ ହେବ ତାହା ବି ଜାଣିଥିଲା ରାଣା। ରାଣା ଏହି ଷଡ଼ଯନ୍ତ୍ରର ଏକ ଅଂଶ ବୋଲି ଆମେରିକା ସରକାର ଜୋର୍ ଦେଇ କହିଛନ୍ତି। ସମ୍ଭବତଃ ଆତଙ୍କବାଦୀ ଆକ୍ରମଣକୁ ସଫଳ କରାଇବାରେ ତାଙ୍କର ବଡ଼ ହାତ ଥାଇପାରେ। ରାଣାଙ୍କୁ କୋର୍ଟ ଭାରତ ପ୍ରତ୍ୟର୍ପଣ ନେଇ ନିର୍ଦ୍ଦେଶ ଦେଇଥିବା ବେଳେ ତାଙ୍କ ଓକିଲ କିନ୍ତୁ ଏହାର ବିରୋଧ କରିଛନ୍ତି। ସୂଚନା ଥାଉକି ୨୦୦୮ ଆତଙ୍କୀ ଆକ୍ରମଣରେ ମୋଟ ୧୬୬ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୬ ଜଣ ଆମେରିକୀୟ ନାଗରିକ ମଧ୍ୟ ଥିଲେ। ପାକିସ୍ତାନରୁ ଆସିଥିବା ୧୦ ଆତଙ୍କାଦୀ ମୁମ୍ବାଇର ତାଜ୍ ହୋଟେଲ୍‌କୁ ଆକ୍ରମଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.