ତପନ ମାଝୀ ଶିଶୁ ଶ୍ରମିକ ବିଦ୍ୟାଳୟରେ ପଢି ଆଜି ଓଇଏସ ପରୀକ୍ଷାରେ ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତର ମକୁନ୍ଦପୁର ଗ୍ରାମର ସ୍ବର୍ଗତ ଲକ୍ଷ୍ମୀଧର ମାଝୀଙ୍କ ପୁତ୍ର ତପନ ମାଝୀ ଓଇଏସ ପରୀକ୍ଷାରେ ସଫଳତା ଅର୍ଜନ କରିଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତପନ ମାଝୀଙ୍କ ପରିବାର ଅତି ଗରିବ ଥିଲେ । ସେ ପ୍ରଥମେ କେଗାଁ ପଞ୍ଚସଖା ଯୁବକ ସଂଘ ଆନୁକୂଲ୍ୟରେ ପରିଚାଳିତ ହେଉଥିବା ଧାମନପୁର ଶିଶୁ ଶ୍ରମିକ ବିଦ୍ୟାଳୟରେ ତିନି ବର୍ଷ ପାଠ ପଢି ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ । ବିଦ୍ୟାଳୟରେ ପଢ଼ୁଥିବା ବେଳେ ନବୋଦୟ ପରୀକ୍ଷା ଦେଇ ଚୟନ ହୋଇ ଜବାହରଲାଲ  ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ସେ ମାଟ୍ରିକ ଓ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢି ଭୁବନେଶ୍ୱରରେ ୨୦୧୩ ମସିହାରେ ବିଏରେ ନାମ ଲେଖାଇଥିଲେ । ୨୦୧୬ ମସିହାରେ ଡିଗ୍ରୀ ହାସଲ କରି ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀ ବିହାରରେ ଇଂରାଜୀରେ ଏମଏ କରି କୃତିତ୍ୱ ହୋଇଥିଲେ । ୨୦୧୯ ରୁ ୨୦୨୧ ରେ ବିଇଡ଼ି ସମାପ୍ତ କରି ଆଜକୁ ଏକ ବର୍ଷ ହେବ ଯାଜପୁରର ଏକ ସରକାରୀ ବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି । ତାଙ୍କ ମନରେ ଜିଲ୍ଲାସ୍ତରୀୟ ପ୍ରଶାସକ ହେବାକୁ ପ୍ରବଳ ଇଛା ଥିଲା । ଆଜି ତାଙ୍କର ଇଛା ପୂରଣ ହୋଇଛି । ଏଥିପାଇଁ ତାଙ୍କୁ ତାଙ୍କର ବନ୍ଧୁ ବାନ୍ଧବ, ଗ୍ରାମବାସୀ ତଥା କେଗାଁ ପଞ୍ଚସଖା ଯୁବକ ସଙ୍ଘ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.