ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ବେସ୍କା ପ୍ରଗଣାରେ ପ୍ରତିବର୍ଷ ମଇ ୨୦ ରେ ଆୟୋଜିତ ହୋଇଆସୁଛି କନ୍ଧ ସମାଜର ବାର୍ଷିକ ଉତ୍ସବ । ଏହି କ୍ରମରେ ଆଜି ଶନିବାର ଶହ ଶହ ସଂଖ୍ୟାରେ କନ୍ଧ ସମାଜର ଲୋକେ ଅସୁରଗଡରେ ସମବେତ ହୋଇଥିଲେ । ପ୍ରଥମେ ନର୍ଲା ସ୍ଥିତ ବୁଢାରଜା ପୀଠ ଓ କଳାପାହାଡ଼ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି କନ୍ଧ ସମାଜର ସଦସ୍ୟ ମାନେ ନିଶାନ, ଢୋଲ ମାଦଲର ତାଳେ ତାଳେ ନର୍ଲାରୁ ଭବ୍ୟ ଶୋଭାଯାତ୍ରା କରି ଅସୁରଗଡ଼ ବୀର କମାଲ ମୈଦାନକୁ ଯାଇଥିଲେ । ଅସୁରଗଡ ପୀଠରେ ପୂଜା ନିତି ସମ୍ପନ୍ନ ହୋଇଥିଲା। ଏହାପରେ ବୀର କମଳ ମଇଦାନ ଅସୁରଗଡର ସୃତି ପୀଠରେ ପୂଜା କରାଯାଇଥିଲା । ଏହାପରେ ପାରମ୍ପାରିକ ପତାକା ଉତ୍ତୋଳନ କରାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ମାନେ ପାରଂପାରିକ ବାଦ୍ୟ ନୃତ୍ୟ ସହ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ କନ୍ଧ ସଂସ୍କୃତିର ବିଭିନ୍ନ ବିଭବ ପ୍ରଦର୍ଶିତ କରିଥିଲେ । ଆଦିବାସୀ କନ୍ଧଙ୍କ ବୀର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ । ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା କନ୍ଧ ସମାଜର ବାର୍ଷିକ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ କନ୍ଧ ସମାଜ କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ, ସମ୍ପାଦକ ପ୍ରଦୀପ ଭୋଇ, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସଂଗଠନ ସମ୍ପାଦକ ଲକ୍ଷ୍ମଣ ଭୋଇ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ତଥା ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, କେସିଙ୍ଗା ବ୍ଲକ ସଂପାଦକ ବିକ୍ରମ ମାଝୀ, ସଭାପତି ପ୍ରଦୀପ ମାଝୀ, କନ୍ଧ ସମାଜ ଗବେଷକ ଅଜିତ ଭୋଇ, କେସିଙ୍ଗା ବ୍ଲକର ସଭାପତି ଶେଷଦେଵ ମାଝୀ, ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀ, ଯୁବ ସଂଗଠକ ଡୋଳାମଣି ଭୋଇ, ନର୍ଲା ଆଦିସ୍କନ୍ଧ ସଭାପତି କିଶୋର ମାଝୀ, ବ୍ଲକ ସମ୍ପାଦକ ମାୟାଧର ମାଝୀ, ଛବି ମାଝୀ, ବିଦୁ ମାଝୀଙ୍କ ସମେତ ସଂଘ ରବିଭିନ୍ନ ବ୍ଲକ ସଭାପତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ରହି ବୀର କମଳ ମାଝୀଙ୍କ ସ୍ମୃତି ଚାରଣ ସହ କନ୍ଧ ସମାଜର ଶିକ୍ଷା, ସଂସ୍କୃତି, ପରଂପରା, ସାମାଜିକ ଓ ଅର୍ଥନୈତିକ ଆଦି ବିକାଶ ମୂଳକ ଦିଗ ଉପରେ ଆଲୋକପାତ କରିଥିଲେ । ଇତ୍ୟବସରରେ କନ୍ଧ ସମାଜ ର ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମରଣୋତ୍ତର ସମ୍ମାନ ପୂର୍ବତନ ବିଧାୟକ ସ୍ବର୍ଗତ ତେଜରାଜ ମାଝୀଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କର ସୁପୁତ୍ରୀ ମାଧୁରୀ ମାଝୀ ଏହା ଗ୍ରହଣ କରିଥିଲେ । କମଳ ମାଝୀ ଭାଷା ଓ ସାହିତ୍ୟ ସମ୍ମାନ ଶିକ୍ଷାବିତ କ୍ଷିତୀଶ ମାଝୀଙ୍କୁ ପ୍ରଦାନ କରାଯାଇଥିଲା । କମଳ ମାଝୀ କୃଷି ସମ୍ମାନ ଗୋଳମୁଣ୍ଡା ର ଲିଙ୍ଗରାଜ ଭୋଇଙ୍କୁ, କମଳ ମାଝୀ ଯୁବ ଗବେଷକ ସମ୍ମାନ ଗୋଲାମୁଣ୍ଡାର ଅଜିତ କୁମାର ଭୋଇଙ୍କୁ , କମଳ ମାଝୀ ସମାଜ ସେବା ସମ୍ମାନ ଲାଞ୍ଜିଗଡ଼ ବ୍ଲକ ର ସୁଶ୍ରୀ ଫୁଲମେ ମାଝୀଙ୍କୁ, କମଳ ମାଝୀ କ୍ରୀଡା ସମ୍ମାନ ତୀରନ୍ଦାଜ ସଞ୍ଜୟ ମାଝୀଙ୍କୁ, କମଳ ମାଝୀ କଳା ସମ୍ମାନ କମର୍ଦ୍ଧାର ଓଁ ପ୍ରକାଶ ମାଝୀ ଙ୍କୁ ପ୍ରଦାନ କରାଯାଇଥିଲା । ତୁଳସୀ ଦାସ ମାଝୀ ଓ କ୍ଷିତିଶ ଚନ୍ଦ୍ର ମାଝୀ ମିଳିତ ଭାବରେ ମଞ୍ଚ ପରିଚାଳନା କରିଥିବାବେଳେ ବୀର କମଳ ମଇଦାନର ସଭାପତି ଅମର ସିଂ ମାଝୀ, ସାଧାରଣ ସଂପାଦକ ଦେବରାଜ ମାଝୀଙ୍କ ସମେତ ୨୬ଟି ପଞ୍ଚାୟତର ସଭାପତି, କାର୍ଯ୍ୟକର୍ତ୍ତା ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ୧୮୮୨ ମସିହା ମଇ ୨୦ ଆଜିର ଦିନରେ ଇଂରେଜ ସରକାରଙ୍କ ଦ୍ବାରା ଫାସି ଦଣ୍ଡରେ ଦଣ୍ଡିତ ହୋଇଥିଲେ ଅସୁରଗଡ କନ୍ଧ ମେଳିର ନେତୃତ୍ବ ନେଇଥିବା ବୀର କମଳ ମାଝୀ ଓ ଏହା ସହ ୧୯ ଜଣ କନ୍ଧ ଓ ଜଣେ ଗଉଡ (ରେଖପୁର ଗୌନ୍ତିଆ ଜଗତ ଭୋଇ)ଙ୍କୁ କଳାପାଣି ଦଣ୍ଡାଦେଶ ଦେଇଥିଲେ ଇଂରେଜମାନେ । ଜାତି ସ୍ବାଭିମାନ ରକ୍ଷା କରିବାକୁ ପ୍ରାଣବଳୀ ଦେଇଥିଲେ ଏହି ବୀର ପୁରୁଷମାନେ । ଏମାନଙ୍କ ବଳିଦାନ ଦିବସକୁ ବିଗତ ୨୬ ବର୍ଷ ହେଲା ଏକତା ଦିବସ ରୂପେ ବୀର କମାଲ ମୈଦାନ କମିଟିର ଆୟୋଜନ କ୍ରମେ ପାଳନ କରିଆସୁଛି ଜିଲ୍ଲା କନ୍ଧ ସମାଜ ।