କଶୃପଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବିଶାଳ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ କେସିଙ୍ଗା ବ୍ଲକର ଐତିହାସିକ ଗ୍ରାମ କଶୃପଡା ଉତ୍ସବ ମୁଖର ହୋଇଉଠିଛି । ଆଜି ମଙ୍ଗଳବାର ଏନେଇ ଗାଁର କରୁଣା ସାଗରରୁ ନୂତନ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସଂକିର୍ତ୍ତନ ଓ ଘଣ୍ଟ ଶଙ୍ଖର ଅପୂର୍ବ ମୁର୍ଛନାରେ ଅଞ୍ଚଳର ପାଞ୍ଚଶହ ମହିଳା ଓ ପୁରୁଷମାନେ କଳସ ଯାତ୍ରାରେ ଆସି ମନ୍ଦିରରେ ପହଞ୍ଚି ଥିଲେ । ସେଠାରେ ବୈଦିକ ବିଧିବିଧାନ ଅନୁକ୍ରମେ କଳସ ସ୍ଥାପନ କରାଯାଇଥିଲା । ଗତକାଲି (ସୋମବାର) ସନ୍ଧ୍ୟାରେ ଅଙ୍କୁରାରୋପଣ, ଶ୍ରୀ ବିଗ୍ରହଙ୍କ ଧ୍ୟାନାଧିବାସ, ମଣ୍ଡଳ କରଣ ଆଦି ବିଧି ସଂପନ୍ନ ହୋଇଥିଲା । ମଙ୍ଗଳବାର କଳସ ଯାତ୍ରା ପରେ ପଞ୍ଚ କର୍ମ, ବ୍ରାହ୍ମଣ ବରଣ, ମଣ୍ଡପ ପୂଜନ, ବୈଷ୍ଣବାଗ୍ନି ସ୍ଥାପନ କରାଯାଇଥିଲା । ଏହାସହ ସନ୍ଧ୍ୟାରେ ବିଷ୍ଣୁ ସହସ୍ରନାମ ହବନ, ମନ୍ଦିର ଅଧିବାସ, ବାସ୍ତୁପୂଜା, ଶିଖରୀ ସ୍ନାନ, ଆରତୀ ଇତ୍ୟାଦି ଦେବପୂଜାର୍ଚ୍ଚନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କମିଟିର ସଭାପତି ଗଜିନ୍ଦ୍ର ପାଢୀ, ସଂଯୋଯକ ପର୍ଶୁରାମ ପାଢ଼ୀ, ସ୍ଥାନୀୟ ସରପଞ୍ଚ ମାଳତୀ ଭୋଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.