ମନ୍ଦିରର ହେବ ସୌନ୍ଦର୍ଯ୍ୟ କରଣ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ଦିର କମିଟି
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଠାକୁରଙ୍କ ମନ୍ଦିର ପରିସରରେ ରବିବାର ଅନୁଷ୍ଠାନର ସଭାପତି କୁମୁଦ ଚନ୍ଦ୍ର ପୁଝାରୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ପରେ ମନ୍ଦିରର ଭିତ୍ତିଭୂମି ପ୍ରସ୍ତୁତ ଓ ନିର୍ମାଣ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୁଢ଼ାରଜା ମନ୍ଦିର ସମେତ ଆମପାଣି ଗ୍ରାମର ସମସ୍ତ ଦେବଦେବୀଙ୍କ ପୀଠ ଗୁଡ଼ିକର ସ୍ଥାବର ସମ୍ପତ୍ତିର ସୀମା ନିର୍ଦ୍ଧାରଣ ସଂପୃକ୍ତ ଅଧିକାରୀ ମାନଙ୍କ ଦ୍ବାରା କରେଇବା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏଥି ସହିତ ବୁଢାରଜା ମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ଜଣେ ଆର୍କିଟେକ୍ (ସ୍ଥାପତି)ଙ୍କ ଆବଶ୍ୟକ ବୋଲି ସମସ୍ତ କର୍ମକର୍ତ୍ତା ମତ ପ୍ରକାଶ କରିଥିଲେ । ଏବଂ ବୁଢାରଜା ମନ୍ଦିରର ଉନ୍ନୟନ କାର୍ଯ୍ୟ ଗୁଡ଼ିକ ପାଇଁ ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ନିୟମିତ ଭାବରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗାଯୋଗ ରଖିବା ପାଇଁ ପ୍ରସ୍ତାବ ହୋଇଛି । ବୈଠକରେ ସମ୍ପାଦକ ନକୁଲ ବାଣୁଆ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସହ ସମ୍ପାଦକ ସନ୍ତୋଷ ମାଝୀ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ବିଘ୍ନେଶ୍ୱର ନାଏକ, ନିତ୍ୟାନନ୍ଦ ମାଝୀ, କେଶବ ବେଣୁପାଣି, ରୁତୁରାଜ ମାଝି, ତ୍ରିନାଥ ପ୍ରସନ୍ନ ରାୟ, ମହେଶ୍ବର ପୁଝାରୀ ସମେତ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।