ଫ୍ରାନ୍ସ ହିଂସା: ୨୦୦ ପୋଲିସ ଆହତ, ୧୩୦୦ ଗିରଫ, ଜାରି ରହିଛି ହିଂସାତ୍ମକ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ପ୍ୟାରିସ: ପୋଲିସ ଗୁଳିରେ ୧୭ ବର୍ଷର ନାହେଲଙ୍କ ଜୀବନ ଯିବା ପରେ ଫ୍ରାନ୍ସରେ ଭୟଙ୍କର ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଆଜକୁ ପାଞ୍ଚଦିନ ହେଲା ଫ୍ରାନ୍ସରେ ଥମୁନି ବ୍ୟାପକ ହିଂସା। ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ, ମାଡି ଚାଲିଛି ହିଂସା। ପ୍ୟାରିସ ସମେତ ଅନେକ ବଡ଼ ସହରରେ ଅଗ୍ନିକାଣ୍ଡ ଏବଂ ହିଂସାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଛି। ରାସ୍ତାରେ ବିକ୍ଷୋଭକାରୀଙ୍କ ଦ୍ୱାରା ବହୁ ସଂଖ୍ୟକ ଗାଡିରେ ନିଆଁ ଲାଗାଇବା ସହ ପୋଲିସ ଉପରକୁ ପଥର ମାଡ଼ କରିଥିବା ସୂଚନା ରହିଛ। ଏହି ହିଂସାରେ ଅତି କମରେ ୨୦୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ସାରା ଦେଶରେ ପ୍ରାୟ ୧୩୦୦ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ପ୍ୟାରିସର ନାନଟେରେରେ ନାହେଲଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତିମ ସଂସ୍କାର ବେଳେ ତାଙ୍କ ମାଆ, ଜେଜେମା ଏବଂ ଶହ ଶହ ଲୋକ ଯୋଗ ଦେଇଥିଲେ। ଜୁନ ୨୭ ତାରିଖ ସକାଳ ୯ଟାରେ ଟ୍ରାଫିକ ଯାଞ୍ଚ ସମୟରେ ଫ୍ରାନ୍ସ ପୋଲିସ କାରରେ ଯାଉଥିବା ୧୭ ବର୍ଷର ନାହେଲ ଏମ ନାମକ ଏକ ବାଳକକୁ ଗୁଳି ମାରିଥିଲା। ଏହି ଘଟଣା ଘଟିଥିଲା ପ୍ୟାରିସର ନାନଟେରେ ଇଲାକାରେ। ପୋଲିସର କହିବା ଅନୁଯାୟୀ, କାରର ଟାୟରକୁ ଗୁଳି କରୁଥିବାବେଳେ ଏହା ଭୁଲରେ ବାଳକ ଦେହରେ ବାଜିଥିଲା। ପରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା, ପୋଲିସ କାରର ଡୋରକୁ ଖୋଲି ଗୁଳି କରିଥିଲା। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ନାହେଲଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଥିଲେ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଫ୍ରାନ୍ସରେ ପରିସ୍ଥିତି ଏତେ ଖରାପ ହେଲା ଯେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କର ଜର୍ମାନ ଗସ୍ତକୁ ସ୍ଥଗିତ ରଖିଥିଲେ। ଏହି ଘଟଣାରେ ରାଷ୍ଟ୍ରପତି ମାକ୍ରନ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ ହେବା ପରେ ସଶସ୍ତ୍ର ଯାନ, ହେଲିକପ୍ଟର ଏବଂ ୪୫,୦୦୦ ପୋଲିସ କର୍ମଚାରୀଙ୍କୁ ପ୍ୟାରିସ, ଲ୍ୟେ ଏବଂ ମାର୍ସିଲରେ ନିୟୋଜିତ କରାଯାଇଛି। ଫ୍ରାନ୍ସରେ ଚାଲିଥିବା ହିଂସାତ୍ମକ ବିରୋଧ ବିଦେଶର ଚିନ୍ତା ବଢାଇ ଦେଇଛି। ଶୀତଦିନରେ ଫ୍ରାନ୍ସ ରଗବୀ ବିଶ୍ୱକପ୍ ଏବଂ ୨୦୨୪ ର ଗ୍ରୀଷ୍ମ ସମୟରେ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ ଆୟୋଜନ କରୁଛି। ଏଭଳି ପରିସ୍ଥିତିରେ ଯଦି ବିରୋଧ ଦୀର୍ଘ ସମୟ ଧରି ଚାଲିବ, ତେବେ ପରିସ୍ଥିତି ଅଧିକ ଗୁରୁତର ହୋଇପାରେ। ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବ୍ରିଟେନ ଏବଂ ଅନ୍ୟ ୟୁରୋପୀୟ ଦେଶମାନେ ନାଗରିକ ତଥା ପର୍ଯ୍ୟଟକଙ୍କୁ ହିଂସା ପ୍ରଭାବିତ ଅଞ୍ଚଳକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.