‘ପ୍ରିୟେ ତୁ ମୋ ସିଏ’ ଓଡିଆ ଚଳଚ୍ଚିତ୍ର ବିରୁଦ୍ଧରେ ଥାନାରେ ଏତଲା

ଅସାମ୍ବିଧାନିକ ଶଦ୍ଦ ‘ହରିଜନ’ର ପ୍ରୟୋଗ କରି ଦଳିତ ସମାଜକୁ ଆକ୍ଷେପ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଝିଲିକ୍ ମୋଶନ ପିକଚର୍ସର ଦ୍ୱାରା ପ୍ରୟୋଜିତ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ଅସମ୍ବିଧାନିକ ଶଦ୍ଦ ‘ହରିଜନ’କୁ ପ୍ରୟୋଗ କରାଯାଇ ଏକ ନିର୍ଦ୍ଧିଷ୍ଟ ଅନୁସୂଚିତ ଜାତିକୁ ଅପମାନ ପହଂଚାଇ ଥିବା ହେତୁ ଉକ୍ତ ସମାଜ ଏବେ ସମାଜ ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରୁ ନ ଥିବାରୁ ଚଳଚ୍ଚିତ୍ରର ପ୍ରୟୋଜକ ଝିଲିକ ଭଟ୍ଟାଚାରଜୀ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ସମେତ ଚଳଚ୍ଚିତ୍ର ଅଭିନେତା ଅମ୍ଳାନ ଦାସ ଓ ଅଭିନେତ୍ରୀ ଏଲିନା ସାମାନ୍ତରାଏଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବା ସହ ଉକ୍ତ ଚଳଚ୍ଚିତ୍ରକୁ ବେଆଇନ୍ ଘୋଷଣା ପାଇଁ ଦାବି କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାୟଗଡା ଥାନା ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ବାମସେଫ୍ ଫେଡେରେସନର ଆଇନ ଉପଦେଷ୍ଠା ଉଦ୍ଧବ କୈାଶଲ୍ୟା । ଭାରତୀୟ ସମ୍ବିଧାନର ଧାରା ୧୫୩ ଏ ଆଇପିସିରେ କୈାଣସି ଜାତି, ଧର୍ମ, ବାସସ୍ଥାନ ଓ ଭାଷାକୁ ନେଇ ଆକ୍ଷେପ କରାଯାଇ ପାରିବ ନାହିଁ । ଯାହା ଆଇନସିଦ୍ଧ ନୁହେଁ ଏବଂ ଏହା ଏସସି, ଏସଟି ଆଟ୍ରୋସିଟି ପ୍ରିଭେନସନ୍ ଆକ୍ଟ ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ । ଏହି ଆକ୍ଟ ଅନୁସାରେ ‘ହରିଜନ’ ଏକ ଅସାମ୍ବିଧାନିକ ଶଦ୍ଦ । ଯାହାର ଅର୍ଥ ଜାରଜ ସନ୍ତାନକୁ ସୂଚାଇଥାଏ । ଏହି ଶଦ୍ଦକୁ କୈାଣସି ଜାତି ଉପରେ ପ୍ରୟୋଗ କରିବା ଭାରତୀୟ ସମ୍ବିଧାନର ଧାରା ୧୫୩ ଏ ଅନୁଯାୟୀ ଦଣ୍ଡନୀୟ ରହିଛି । ତଥାପି ‘ପ୍ରିୟେ ତୁ ମୋ ସିଏ’ ଓଡିଆ ଚଳଚ୍ଚିତ୍ରରେ ‘ହରିଜନ’ ଶଦ୍ଦ ପ୍ରୟୋଗ କରାଯିବା ଦ୍ୱାରା ଆମର ଆତ୍ମସ୍ୱାଭିମାନ ନଷ୍ଟ କରାଯାଉଛି ଯଦ୍ୱାରା ଆମେ ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରୁନାହୁଁ ବୋଲି ବାମସେଫ୍ ଫେଡେରେସନ୍ ଆଇନ ଉପଦେଷ୍ଠା ଶ୍ରୀ କୈାଶଲ୍ୟା ଅଭିଯୋଗ ପତ୍ରରେ ଉଲ୍ଳେଖ କରିଛନ୍ତି । ରାୟଗଡା ଥାନା ଅଧିକାରୀ କମଳକାନ୍ତ ବସନ୍ତ କୁମାର କହଁରଙ୍କୁ ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ବାମସେଫ୍ ଫେଡେରେସନ୍ ସଭାପତି ଜନାର୍ଦ୍ଦନ ଗରଡା, ଧନୁଂଜୟ ନାଏକ, ରବିନ୍ଦ୍ର ଗରଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.