ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ବକୁ ହୃଦୟଙ୍ଗମ କରିବା ସହ ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହରେ ‘ବନ ମହୋତ୍ସବ ସପ୍ତାହ’ ପାଳନ କରାଯାଇ ଆସୁଛି। ଗଛ ଛାଇ ଯୋଗାଇବା, ମରୁଡ଼ି ପରିସ୍ଥିତି ହ୍ରାସ କରାଇବା, ଅଧିକ ବିକଳ୍ପ ଇନ୍ଧନ ଉତ୍ସ ପହଞ୍ଚାଇବା, ପରିବେଶ ସନ୍ତୁଳନ ଆଣିବା, ଖାଦ୍ୟ ଉତ୍ପାଦନ ବୃଦ୍ଧି ଓ ମୃତ୍ତିକା କ୍ଷୟ ହ୍ରାସ କରାଇବା ଆଦି ଅଗଣିତ ହିତ ସାଧନ କରିଥାଏ। ବିଶ୍ବର ତାପମାତ୍ରା ବୃଦ୍ଧି ରୋକିବା ଓ ପ୍ରଦୂଷଣ ହ୍ରାସ ଦିଗରେ ବୃକ୍ଷରୋପଣ ହିଁ ଶ୍ରେଷ୍ଠ ବିକଳ୍ପ ହୋଇଥିବାରୁ ଏହାକୁ ଏକ ମହୋତ୍ସବର ଅଂଶବିଶେଷ କରାଯାଇଛି। ଏହି ସପ୍ତାହରେ ଦେଶର ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିସର ସମେତ ଘରୋଇ ତଥା ସାର୍ବଜନୀନ ଖାଲି ସ୍ଥାନଗୁଡ଼ିକରେ ବୃକ୍ଷ ଲଗାଯିବାକୁ ପ୍ରୋତ୍ସାହିତ କରାଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଶାନ୍ତପୁର ସେକ୍ସନର ଚଳିତବର୍ଷ ‘ପ୍ରକୃତି ମିତ୍ର’ ପୁରସ୍କାର ପ୍ରାପ୍ତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ ଠାରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଭାସ୍କର ଭୋଇ, ସାନ୍ତପୁର ସେକ୍ସନର ବନପାଳ ଭବାନୀ ଶଙ୍କର ପରିଚ୍ଛା, ଭଟାଙ୍ଗପଦର ବନପାଳ ଲୋକାଚନ୍ଦ୍ର ପୋଢ଼, ବନରକ୍ଷୀ ଇନ୍ଦ୍ରଭୂଷଣ ଧଙ୍ଗଡାମାଝୀ, ବନରକ୍ଷୀ ତୁଳସୀ ସ୍ୱାଇଁ, ପଞ୍ଚାୟତ ହାଇସ୍କୁଲ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ସଞ୍ଚାସୀନ ରହି ବନମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ଜଙ୍ଗଲ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ଉମେଶ ଚନ୍ଦ୍ର ଗଉଡ଼, ସୁବାସ ଚନ୍ଦ୍ର ନାଏକ, ରୋମାଞ୍ଚଳ ବାଗ, ଅଭିଜିତା ପରିଡା, ଅଜୟ ନାଏକ, ସଞ୍ଜୟ ମଲ୍ଲିକ ଏବଂ ଉକ୍ତ ସ୍କୁଲର ଇକୋ କ୍ଲବ ମୁଖ୍ୟ କୈଳାସ ଚନ୍ଦ୍ର ଭୋଇ ତଥା ସମସ୍ତ ଶିକ୍ଷକ ଓ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ବୃକ୍ଷରୋପଣ ସହ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।