ଏମ୍‌ଡିଆର୧୧୫ ରୁ ଭଟାପଲା ପ୍ରଧାନମନ୍ତ୍ରୀ ସଡ଼କ: କାମ ଚାଲିଛି, ଏଣେ ସମତାଳ ଦେଇ ପିଚୁ ଉଠିଯାଉଛି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ବାଗବୁରେଇ ତାରିଣୀ ଛକ (ଏମ୍‌.ଡି.ଆର) ୧୧୫ ଠାରୁ ଭଟାପଲା ଭାୟା ବାଗବୁରେଇ, ଧରଣୀ ପଡା, ରିଂଜା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ ହୋଇ କାମ ଚାଲିଛି । ପ୍ରାୟ ୯.୭୦ କି.ମି ଦୈର୍ଘ୍ୟ ଏହି ରାସ୍ତା ନିର୍ମାଣ ପାଇଁ ୭ କୋଟି ୫୭ ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ଅଟକଳ ରହିଛି । ତେବେ କାମ ଆରମ୍ଭରୁ କାର୍ଯ୍ୟରେ ଅନିୟମିତତା ତଥା ନିମ୍ନ ମାନର କାମ ହେଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଯାଏ ଦେଓଗାଁ ଛକ ଠାରୁ ରିଂଜା ଧରଣୀ ପଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ତଥା ପିଚୁ କାମ ଶେଷ ହୋଇଥିବା ବେଳେ ଏହାର ସାତ ଦିନ ନ ପୁରୁଣୁ ରାସ୍ତାରୁ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି । ଏନେଇ ଅଭିଯୋଗ ପରେ ମଧ୍ୟ ବିଭାଗୀୟ କର୍ତୃପକ୍ଷ କିମ୍ବା ଠିକାଦାର ଆଦୌ ଗୁରୁତ୍ୱ ଦେଉନଥିବା ରିଂଜା ଗ୍ରାମର ସାମାଜିକ କର୍ମୀ ବେଦବ୍ୟାସ ଚୌଧୁରୀ ଅଭିଯୋଗ କରିଛନ୍ତି । ତେବେ ଏ ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ପିଚୁ କାମ ମୋ ଉପସ୍ଥିତିରେ ହୋଇଛି, ପିଚୁ ପଡିବା ପରେ ଟ୍ରାକ୍ଟର ଗୁଡିକ ଯିବା ଆସିବା କରୁଥିବାରୁ ପିଚୁ ଉଠିଥାଇପାରେ ବୋଲି ମତାମତ ଦେଇଥିଲେ । ତେବେ ବର୍ତମାନ ଭଟାପଲା ପଟୁ ଚାଲୁଥିବା କାମ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ସରକାର ଭଲ ରାସ୍ତା ଟିଏ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଯନ୍ତ୍ରୀ-ଠିକାଦାର ମଧୁଚନ୍ଦ୍ରିକାରେ ତାହା ବରବାଦ ହେଉଥିବା କୁହାଯାଉଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟିଦେଇ ପଦକ୍ଷେପ ନ ନେଲେ ଆମେ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିବୁ ବୋଲି ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ସାହୁ ପ୍ରକାଶ କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.