ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ -ଡିସିପିଓ
ଜିଲ୍ଲା ପରିଷଦ ସଭ୍ୟଙ୍କ ଉଦ୍ୟମକୁ ପ୍ରଶଂସା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ଗ୍ରାମର ବିଧବା ମହିଳା ବାସନ୍ତୀ ସୁନାଙ୍କ ମୁଣ୍ଡରେ ପଡ଼ଛି ୪ ସନ୍ତାନଙ୍କ ଲାଳନପାଳନର ବୋଝ। ବର୍ଷକ ତଳେ ତାଙ୍କ ସ୍ୱାମୀ ବିଶ୍ୱ ସୁନା (୪୦) କୌଣସି ରୋଗର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଚାରୋଟି ସନ୍ତାନ। ବଡ ଝିଅ ନମିତା (୧୬) ଯୁକ୍ତ ଦୁଇରେ ପଢୁଥିବା ବେଳେ ନମ୍ରତା (୧୩) ଅଷ୍ଟମ ଶ୍ରେଣୀ ପଢୁଅଛି। ସେହିପରି ତୃତୀୟ ଝିଅ ନିବେଦିତା (୮) ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଥିବା ବେଳେ ସବା ସାନ ପୁଅ କୃପାନିଧି (୬) ଅଙ୍ଗନୱାଡି କେନ୍ଦ୍ରରେ ପଢୁଛନ୍ତି। ସଂସାର ଚଳାଇବା ସହ ପିଲାମାନଙ୍କ ପାଠ ପଢା ଦାୟିତ୍ୱ ସମ୍ଭାଳି ବାସନ୍ତୀ ଏବେ ସଂପୂର୍ଣ୍ଣ ଭାରାକ୍ରାନ୍ତ ହୋଇପଡିଛନ୍ତି। ସରକାରୀ ସହାୟତା କହିଲେ ମାସକୁ ମାତ୍ର ୫ ଶହ ଟଙ୍କା ବିଧବା ଭତା ଓ ୨୦ କେଜି ରାସନ ଚାଉଳ। ସାନପୁଅର ନାମ ରାସନ କାର୍ଡରେ ସଂଯୋଗ ହୋଇନଥିବାରୁ ଆଉ ୫ କେଜି ଚାଉଳ ପାଇବାରୁ ବଂଚିତ ଅଛନ୍ତି ଏହି ପରିବାର। ତେବେ ବାସନ୍ତୀଙ୍କ ଦୁର୍ଦ୍ଦିନ ଖବର ପାଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ସପରିବାରଙ୍କୁ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସ୍ଥିତ ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖକୁ ନେଇ ଆଶୀର୍ବାଦ ଯୋଜନାରେ ପିଲାମାନଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଏ ସଂପର୍କରେ ଅଧିକ ସୂଚନା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଲକ୍ଷ୍ମୀ ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ପରିବାରକୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ପ୍ରକାଶ ଥାଉକି ଏହି ଯୋଜନାରେ ସାମିଲ ହେଲେ ପ୍ରତ୍ୟେକ ସନ୍ତାନ ମାସକୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ପାଇଥାନ୍ତି।