ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁଠାରେ ନିର୍ମାଣଧୀନ ଏକ ଘରୋଇ କମ୍ପ୍ଲେକ୍ସରୁ ଫଲ୍ସ କାଢୁ ଥିବାବେଳେ ଘଟିଯାଇଛି ଏକ ଅଘଟଣ। ବଳୀ ଖୁଣ୍ଟ ଓ ପ୍ଳେବୋର୍ଡ ଖସି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମିସ୍ତ୍ରୀ ଜଣକ ଆମପାଣି ଥାନା ବଡପୋଡାଗୁଡା ପଞ୍ଚାୟତ ବାବେକୋହରା ଗ୍ରାମର ନବୀନ ଜୁଏଡ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, ଲଡୁଗାଁ ସୁନାମାଲ ରାସ୍ତାରେ ଘରୋଇ ନିର୍ମାଣଧୀନ କମ୍ପ୍ଲେକ୍ସରୁ ମଙ୍ଗଳବାର ଫଲ୍ସ କାଡୁଥିବା ବେଳେ ଅପରାହ୍ନରେ ନବୀନଙ୍କ ଉପରେ ବଳୀଖୁଣ୍ଟ ଓ ପ୍ଳେବୋର୍ଡ ଖସିପଡ଼ିଥିଲା, ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଲଡୁଗାଁରେ ପ୍ରାଥମିକ ଚିକିତ୍ସା ପରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ସୂତ୍ରରୁ ଜଣାପଡିଛି। ତେବେ ଉକ୍ତ ମିସ୍ତ୍ରୀ ଜଣକ ଆମପାଣିର ଜୈନିକ ଠିକାଦାରଙ୍କ ଜରୀଆରେ ସେଠାରେ କାମରେ ନିୟୋଜିତ ରହିଥିବା ଜଣାପଡିଛି। ମୃତକ ଜଣକ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ, ଦୁଇ ପୁଅ, ସ୍ତ୍ରୀ ଓ ମା’ ରହିଛନ୍ତି। ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଏନେଇ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା କୋକସରା ଥାନା ଏସ୍ଆଇ ଗୋପବନ୍ଧୁ ନାଏକଙ୍କ ପକ୍ଷରୁ ସୂଚନା ମିଳିଛି।