ଓଡ଼ିଆ ବାର୍ତ୍ତା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ଲଖନା ଥାନା ବଙ୍ଗାମୁଣ୍ଡା ଗାଁରେ ବେଆଇନ ବ୍ଲଷ୍ଟିଂ କରୁଥିବା ଅଭିଯୋଗ ହୋଇଛି । ଆଜି ବ୍ଲଷ୍ଟିଂ ଫାଟି ଜଣେ ବଳଦ ଚରାଳି ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ବଳିସିଂ ବରିହା(୧୬) । ଏଥିରେ ନାବାଳକଙ୍କ ୪ଟି ଆଙ୍ଗୁଠି କାଟି ଯାଇଛି । ସୂଚନା ଅନୁସାରେ ଗତ କାଲି ବଙ୍ଗାମୁଣ୍ଡା ଗାଁ ନିକଟ ଗୋପାଳ ସାହୁଙ୍କ କ୍ରସରରେ ପଥର ବ୍ଲଷ୍ଟିଂ ହୋଇଥିଲା । ଏହି କ୍ରସର ପାଖରେ କିଛି ଅଫୁଟା ବାରୁଦ ପଡି ରହିଥିଲା । ଆଜି ସକାଳେ ବଙ୍ଗାମୁଣ୍ଡା ଗାଁର ବଳିସିଂ ଚାଷଜମିକୁ ହଲ କରିବାକୁ ଯାଇଥିଲେ । ପୂର୍ବାହ୍ନ ୧୧ ଟାରେ ବଳିସିଂ କ୍ରସର ନିକଟକୁ ବଳଦ ଚରାଇବାକୁ ନେଇଥିଲେ । ସେଠାରେ କିଛି ବାରୁଦ(ବ୍ଲଷ୍ଟିଂ) ପଡିଥିଲା । ଏହାକୁ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା । ଏଥିରେ ବଳିସିଂଙ୍କ ବାମ ହାତର ୩ ଟି ଓ ଡାହାଣ ହାତର ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା । ନାବାଳକ ହଲକୁ ଜଙ୍ଗଲରେ ଛାଡି ଦେଇ ହାତକୁ ଗାମୁଛାରେ ଗୁଡ଼ାଇ ଘରକୁ ଚାଲି ଆସିଥିଲେ । ଦୁଇ ହାତରେ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ସେଠାରୁ ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି । ସୂଚନା ଥାଉକି, ଜିଲ୍ଲାର କ୍ରସରରେ ବେଆଇନ ପଥର ବ୍ଲଷ୍ଟିଂ ବନ୍ଦ ରହିଛି । ତାରିସତ୍ତ୍ବେ କିଭଳି ସ୍ଥିତିରେ ବେଆଇନ ପଥର ବ୍ଲଷ୍ଟିଂ ଚାଲିଛି । ଆଉ ଏଥିରେ ଜଣେ ନାବାଳକ ନିଜ ହାତର ଆଙ୍ଗୁଠି ହରାଇଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି ।