କଳାହାଣ୍ଡିରେ ବିଜେଡ଼ିର ନିର୍ବାଚନ ମଣ୍ଡଳୀ ସଭାପତି ରାଜନୀତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କିଛି ଦିନ ତଳେ ବିଜୁ ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ନିଯୁକ୍ତିକୁ ନେଇ ରାଜନୀତି ଜୋର ଧରିଥିଲା। କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ଥିବା ଜଣେ ବରିଷ୍ଠ ନେତାଙ୍କୁ ଆଣି ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଆସନରେ ଅଭିଷିକ୍ତ କରିଥିଲା ଦଳ। ଏହାକୁ ନେଇ ବିଜେଡି କର୍ମୀ ଓ ସଚେତନ ନାଗରିକମାନଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଏହାପରେ କ’ଣ ହେଲା କେଜାଣି ମାତ୍ର କିଛି ଦିନ ପରେ ସେହି ନେତାଙ୍କୁ ରାଜ୍ୟ ବିଜେଡ଼ି ସମ୍ପାଦକ ଭାବେ ପଦୋନ୍ନତି ଦେଇଥିଲା ବିଜୁ ଜନତା ଦଳ। ସେ ବିଜେଡ଼ିର ରାଜ୍ୟ ସମ୍ପାଦକ ପଦବୀ ମଣ୍ଡନ କରିଥିବାରୁ ନର୍ଲା ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା। ଏବେ ସେ ରାଜ୍ୟ ଓ ନର୍ଲା ନିର୍ବାଚନ ମଣ୍ଡଳୀ ଦୁଇଟି ଯାକ ଦାୟିତ୍ବରେ ଅଛନ୍ତି କିମ୍ବା କେବଳ ରାଜ୍ୟ ସଂପାଦକ ଦାଇତ୍ବରେ ଅଛନ୍ତି ସେନେଇ ଦ୍ବନ୍ଦାତ୍ମକ ଚିତ୍ର ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ନିର୍ବାଚନ ମଣ୍ଡଳୀ ସଭାପତି ବିଷୟରେ ନର୍ଲା ବିଜେଡିର ତୁଙ୍ଗ ନେତାମାନେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଉ ନାହାନ୍ତି କିମ୍ବା କିଛି କହିବାକୁ ରାଜି ହେଉ ନାହାନ୍ତି। ଏହି ରୋଚକ ଘଟଣାକ୍ରମ ସେହି ସମୟରେ ଅଞ୍ଚଳବାସୀଙ୍କୁ ବେଶ୍ ଆମୋଦିତ କରିଥିଲା।

ବର୍ତ୍ତମାନ ଆଉଥରେ ବିଜେଡ଼ି ରାଜନୀତିର ଦୃଶ୍ୟପଟ୍ଟକୁ ନେଇ ଜୋର ଚର୍ଚ୍ଚା ଆଲୋଚନା ଚାଲିଛି। ରାଜ୍ୟର ଅନ୍ୟ କୈାଣସି ଜିଲ୍ଲା ଏପରିକି କଳାହାଣ୍ଡି ଲୋକସଭା କ୍ଷେତ୍ର ମଧ୍ୟରେ ରହିଥିବା ନୂଆପଡ଼ା ଜିଲ୍ଲାରେ ମଧ୍ୟ ବିଜେଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ନିଯୁକ୍ତି କରିନଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କାହିଁକି ଦଳ ଏହି ପଦବି ସୃଷ୍ଟି କଲା। ଏହାର ଭିତିରି ରହସ୍ୟ ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି। କେଉଁ ଜିଲ୍ଲା ଓ ବିଧାନସଭା କ୍ଷେତ୍ରରେ କିପରି ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଯିବ ତାହା ଦଳୀୟ ବ୍ୟାପାର, ଏ ବିଷୟରେ ଅନ୍ୟମାନେ ମୁଣ୍ଡ ଖେଳାଇବା କିଛି ମାନେ ନାହିଁ ବୋଲି କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଏହା ମଧ୍ୟ ଏକ ପ୍ରକାରର ଠିକ୍। ତେବେ ଧିରେଧିରେ ରାଜନୈତିକ ପାଣିପାଗ ସରଗରମ ହୋଇ ଆସୁଥିବାରୁ ସାଧାରଣ ଜନତା ମଧ୍ୟ ଟିକିନିଖି ଖବର ଉପରେ ନଜର ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଆସନ ନର୍ଲା ବିଧାନସଭା କ୍ଷେତ୍ରକୁ ଯଦି ବିଚାରକୁ ନିଆଯାଏ ତେବେ ଏଠାରେ ବର୍ତ୍ତମାନ ବିଜେଡ଼ି ବିଧାୟକ ଅଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ଅଧିନରେ କର୍ଲାମୁଣ୍ଡା, ମ.ରାମପୁର, ନର୍ଲା ଏପରି ତିନୋଟି ବ୍ଲକ ସଂପୂର୍ଣ୍ଣ ଓ କେସିଙ୍ଗା ବ୍ଲକର ଅଂଶ ରହିଛି। ଏସବୁ ବ୍ଲକରେ ଥିବା ବିଜେଡ଼ି ବ୍ଲକ ସଭାପତି ଓ କାର୍ଯ୍ୟକର୍ତ୍ତାମାନେ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ମଜଭୁତ କରିବା ସହ ସେମାନଙ୍କ କାର୍ଯ୍ୟଧାରାରେ ବିଧାୟକ, ବ୍ଲକ, ବିଭିନ୍ନ ବିଭାଗ, ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧି ଓ ଜନସାଧାରଣଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଅଞ୍ଚଳକୁ ବିକାଶ ଦିଗରେ ଆଗେଇ ନେବାରେ ପ୍ରଚେଷ୍ଟା କରି ଚାଲିଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ମତଭେଦ ସତ୍ତ୍ୱେ ଏଠାରେ ଅନ୍ୟାନ୍ୟ ଦଳ ଅପେକ୍ଷା ବିଜେଡ଼ିର ସ୍ଥିତି ସୁଦୃଢ଼ ରହିଛି। ଆଗକୁ ୨୦୨୪ ନିର୍ବାଚନ। ଏପରି ଘଡ଼ିସନ୍ଧି ମୁହୁର୍ତ୍ତରେ ନର୍ଲା ବିଧାନସଭା ସଭାପତି ଚିତ୍ର ଅସ୍ପଷ୍ଟ ରହିଥିବା କୁହାଯାଉଛି। ଯଦି ଏହି ନୂତନ ପଦବୀ ପୁରଣ ଅଛି ତେବେ କିଛି କହିବାର ନାହିଁ ଯଦି ଖାଲି ଅଛି ତେବେ ସ୍ଥାନୀୟ ଅଞ୍ଚଳର ଜଣେ ନାରୀ ନେତ୍ରୀଙ୍କୁ ନିଯୁକ୍ତ କଲେ ମା’ମାନଙ୍କ ଉତ୍ସାହ ବୃଦ୍ଧି ପାଇବା ସହ ହଜାର ହଜାର ମହିଳା କର୍ମୀ ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିବା ସହ ବିଜେଡ଼ିର ଭୋଟ ମାତ୍ରା ମଧ୍ୟ ବଢ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି। ମା’କୁ ସମ୍ମାନ ନ୍ୟାୟରେ ପୁରୁଷ ସମାଜ ଏହାକୁ ସହଜରେ ଗ୍ରହଣ କରିବେ। ବର୍ତ୍ତମାନ ନୂତନ ଟ୍ରେଣ୍ଡ ଚାଲିଥିବାରୁ ଏହା ଶାସକ ଦଳ ପ୍ରତି ଯୁକ୍ତାତ୍ମକ ଉର୍ଜା ପ୍ରସ୍ତୁତ କରିବ। ଗତ ମଇ ୧୯ ରେ ଫାଇବ-ଟି ସଚିବ କଳାହାଣ୍ଡି ଗସ୍ତରେ ଆସିଥିବା ସମୟରେ ସାବିତ୍ରୀ ବ୍ରତ ଥିବା ସତ୍ତ୍ବେ ମଧ୍ୟ ନର୍ଲା ହାଇସ୍କୁଲ ପଡ଼ିଆରେ ପ୍ରାୟ ପାଞ୍ଚ ହଜାର ମହିଳା ଏକତ୍ରିତ ହୋଇଥିଲେ। ସେହି ସମୟରେ ମହିଳାଙ୍କ ସଂଖ୍ୟା ଅଧିକ ଓ ପୁରୁଷଙ୍କ ସଂଖ୍ୟା କମ୍ ରହିଥିଲା। ମହିଳାମାନେ ଆଉ ଘରର ଚାରି କାନ୍ଥ ଭିତରେ ରହି ନାହାନ୍ତି ଓ ଗଢ଼ିବା ଭାଙ୍ଗିବା ସବୁ ତାଙ୍କ ହାତରେ – ଏହି ଚିତ୍ର ନର୍ଲା ସମାବେଶରେ ଜଳ ଜଳ ହୋଇ ଦିଶି ଯାଇଥିଲା। ଏପଟେ ନର୍ଲା ନିର୍ବାଚନ ମଣ୍ଡଳୀରେ ୧୯୬୭ ରୁ ୨୦୧୯ ମଧ୍ୟରେ ୧୩ଥର ବିଧାୟକ ନିର୍ବାଚନ ହୋଇଥିବା ବେଳେ ମହିଳା ବିଧାୟିକା ସଂଖ୍ୟା ଶୁନ୍। ତେଣୁ ଏପରି ସ୍ଥିତିରେ ନେତାଙ୍କୁ ନର୍ଲା ନିର୍ବାଚନ ମଣ୍ଡଳୀର ସେନାପତି ନକରି ଯଦି ଉପଯୁକ୍ତ ନାରୀ ନେତ୍ରୀଙ୍କ ମୁଣ୍ଡରେ ଶିରିପା ବନ୍ଧାଯାଏ ତେବେ ଏକ ନୂତନ ସମିକରଣ ସୃଷ୍ଟି ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ତେବେ ବିଜେଡ଼ି ଆଗକୁ ନର୍ଲାର ଦୁର୍ଗ ରକ୍ଷା ପାଇଁ କେଉଁ ପ୍ରକାରର ରଣନିତି ଆପଣେଇବ ତାହା ସମୟ କହିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.