ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଜି ଶନିବାର ଦିନ ଛାତ୍ରଛାତ୍ରୀମାନଙ୍କ ଅର୍ନ୍ତନିହିତ ଗୁଣର ବିକାଶ ପାଇଁ ସାଂସ୍କୃତିକ ଉତ୍ଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ସଂସ୍କୃତିବିତ୍ ନିର୍ମଳ ଚନ୍ଦ୍ର ଭୋଇ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଲୋକ ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ଅବସରପ୍ରାପ୍ତ କିରାଣୀ ପ୍ରମୋଦ ଭୋଇ ଯୋଗ ଦେଇଥିଲେ। ଜଣେ ଶିକ୍ଷାର୍ଥୀ ସଂସ୍କୃତି ସଂପନ୍ନ ହେଲେ ଏକ ସୁସ୍ଥ ସମୃଦ୍ଧ ଓ ଆନନ୍ଦମୟ ପରିବେଶ ସୃଷ୍ଟି ହେବାରେ ସହାୟକ ହୋଇଥାଏ। ତେଣୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରିଆଁ କ୍ରୀଡ଼ା ପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଆସୁଛି। ପ୍ରଶିକ୍ଷଣ ବ୍ୟତିରେକ ସମୟ ସମୟରେ ଆଲୋଚନା ଚକ୍ର ମାଧ୍ୟମରେ ଶିଶୁ ମାନଙ୍କୁ ଭାରତୀୟ ଓ ଉତ୍କଳୀୟ ସଂଗୀତ ଓ ନୃତ୍ୟ ଧାରା, ନାଟ୍ୟ ଶାସ୍ତ୍ର ଆଦି ଅନେକ ବିଷୟରେ ଧାରଣା ଦିଆ ଯାଇଥାଏ ବୋଲି ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଶ୍ରୀ ଭୋଇ ନିଜ ସମୟ ବାହାରକରି ଏହି ବିଦ୍ୟାଳୟରେ ସ୍ବେଚ୍ଛାକୃତ ଶିକ୍ଷାଦାନ ଓ ସଂଗୀତ ଏବଂ ନୃତ୍ୟ ଶିକ୍ଷା ପ୍ରଦାନ କରିଥାନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଦୟାନିଧି ପଧାନ, କିଶୋର ଚନ୍ଦ୍ର ତ୍ରିପାଠୀ, ବଳଭଦ୍ର ହରିଜନ, ବାସୁଦେବ ବାଗ, ବିଜୟା ଭାରତୀ ମହାରଣା, ସୁଧୀର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।