ଓଡିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସରଂକ୍ଷିତ ଜଙ୍ଗଲ ତଥା ଓଡିଶା ଛତିଶଗଡ଼ ସୀମାନ୍ତ ନଙ୍ଗଲଘାଟ ନିକଟରେ ପୋଲିସ ଏକ ମାଓ କ୍ୟାମ୍ପ ଠାବ କରିଛି | ଏସ.ଓ.ଜି, ସି.ଆର.ପି.ଏଫ ଓ ଡି.ଭି.ଏଫ ଯବାନଙ୍କ କମ୍ବିଂ ଅପରେସନରେ ୫ କେ.ଜି ବିସ୍ଫୋରକ, ୨୦ ଟି ଚକୋଲେଟ ବୋମା ଓ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି | ଓଡିଶା ଛତିଶଗଡ଼ ସୀମାନ୍ତ ଉକ୍ତ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହୁଥିଲେ | କ୍ୟାମ୍ପରେ ସୁରକ୍ଷା ବଳ ଉପରେ ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା ପ୍ରସ୍ତୁତ କରୁଥିବା ଗୁଇନ୍ଦା ସୂତ୍ରରୁ ନୂଆପଡା ପୋଲିସ ଖବର ପାଇଥିଲା | ଆଜି ପୂର୍ବାହ୍ନରେ ନୂଆପଡା ଏସ.ପିଜି. ଆର ରାଘବେନ୍ଦ୍ରଙ୍କ ନିର୍ଦେଶ କ୍ରମେ ପାଟଦର୍ହା ସରଂକ୍ଷିତ ଜଙ୍ଗଲରେ ଏସ.ଓ.ଜି., ଡି.ଭି.ଏଫ ଓ ସି.ଆର.ପି.ଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ବ କରିଥିଲେ | ସୀମାନ୍ତ ନଙ୍ଗଲଘାଟ ଗାଁ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ଭିତରେ ଯବାନମାନେ ଏକ ମାଓ କ୍ୟାମ୍ପ ନିକଟରେ ପହଂଚି ଥିଲେ | ଯବାନଙ୍କ କମ୍ବିଂ ଅପରେସନକୁ ଦେଖି ମାଓବାଦୀମାନେ ମୁକାବିଲା କରି ନ ପରି ଛତ୍ରଭଙ୍ଗ ଦେଇଥିଲେ | ସର୍ଚ୍ଚ ଅପରେସନ କରି ୫ କେ.ଜି ବିସ୍ଫୋରକ, ୨୦ ଟି ଚକୋଲେଟ ବୋମା ଓ ବିପୁଳ ମାଓ ସାମଗ୍ରୀ ଯଥା ବହୁତ ପ୍ରକାର ଔଷଧ, ଲୁଣ, ହଳଦୀ ପାଉଡର, ମିଲ୍କ ପାଉଡର, ଚାଉଳ ୨୦ କେ.ଜି, ଚା ପତି, ପ୍ଲାଷ୍ଟିକ କଣ୍ଟେନରକୁ ଜବତ କରିଥିଲେ | ଏବେ ଓଡିଶା ଓ ଛତିଗଡ଼ ସୀମାନ୍ତ ଅଂଚଳରେ ଏସ.ଓ.ଜି, ଡି.ଭି.ଏଫ ଓ ସି.ଆର.ପି.ଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଜୋରଦାର ଚାଲିଥିବା ଏସ.ପି ଶ୍ରୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି |