ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ଵଧାଦେବ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଏହା ଗତ ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୨୧ ମାସ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ା ଓ କାଶିପୁର ବ୍ଲକ ଏବଂ ରାୟଗଡ଼ା ପୌର ପାଳିକାରେ ବୁଧବାର ଦିନ ୨୯୮ ଜଣ ବୁଥ ସ୍ତରୀୟ ଅଧିକାରୀ ଓ ସୂପରଭାଇଜରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର , ରାୟଗଡ଼ା ବିଡିଓ ଲକ୍ଷ୍ମନାରାୟଣ ସାବତ, ଜିପିଇଓ ଗୋପାଳ ପଣ୍ଡା, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ପୂର୍ବାହ୍ନରେ ରାୟଗଡ଼ା ବ୍ଲକ ସଦଭାବନା ଗୃହ ଠାରେ ଓ ଅପରାହ୍ନରେ ରାୟଗଡ଼ା ପୌର ପରିଷଦର ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଉପଜିଲ୍ଲାପାଳ ଶ୍ରୀ ଶବର, ପୌରପାଳିକା ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମଦ, ନିର୍ବାଚନ ସହକାରୀ ଚନ୍ଦ୍ରଶେଖର ରଥ, ଆର ନୀଳକଣ୍ଠ ଓ ନିଳାଞ୍ଚଳ ମିଶ୍ର ପ୍ରମୁଖ ବୁଥ ସ୍ତରୀୟ ଅଧିକାରୀ ଓ ସୂପରଭାଇଜରଙ୍କୁ ତାଲିମ ପ୍ରଦାନ କରିଥିଲେ । ଘରକୁ ଘର ବୁଲି ଭୋଟର ତାଲିକାରେ ଥିବା ତଥ୍ୟ ତନଖି କରିବା ସହ ଯୋଗ୍ୟ ପ୍ରତ୍ୟାଷିତ ଭୋଟର, ମୃତ, ଦୋହରା ଓ ସଂପୂର୍ଣ୍ଣ ସ୍ଥାନାନ୍ତରିତ ଭୋଟରଙ୍କୁ ଚିହ୍ନଟ ସହ ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି କୌଶଳ ବିଷୟରେ ଆଲୋଚନା କରାଯାଇଥିଲା । ୧୦୦ ବର୍ଷରୁ ଉର୍ଦ୍ଧ ଭୋଟର, ଗୋଟିଏ ଘର ନମ୍ବରରେ ୧୦ ଜଣରୁ ଉର୍ଦ୍ଧ ଭୋଟର ରହିଥିବା ପରିବାର ତଥ୍ୟ ସହିତ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ସଂଶୋଧନ ନିମନ୍ତେ ସଂଗ୍ରହ କରିବେ । ଆଗାମୀ ନିର୍ବାଚନ ବର୍ଷକୁ ଦୃଷ୍ଟିରେ ରଖି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ଆବଶ୍ୟକ ସହଯୋଗ ଦେବା ନିମନ୍ତେ ଜିଲ୍ଲାପାଳ ସ୍ଵଧାଦେବ ସିଂ ରାୟଗଡ଼ା ଜିଲ୍ଲାର ସମସ୍ତ ଭୋଟରଙ୍କୁ ଅପିଲ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.