କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଅସହାୟ ଭାଇ ଭଉଣୀଙ୍କୁ ସହଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ/ ଲବଣୀ ରାଉତ): ଗୋଲାମୁଣ୍ଡା ବ୍ଲକ କୁଲିହାରିଗୁଡା ଗ୍ରାମର ଏକ ପରିବାରର ପିତା, ମାତାଙ୍କ କିଛି ବର୍ଷ ଅନ୍ତରରେ ଅକାଳ ବିୟୋଗ ହୋଇଥିବାରୁ ସେହି ପରିବାରର ୪ ଭାଇ ଭଉଣୀ ଅସହାୟ ହୋଇ ଖସିଗୁଡା ଗାଁର ମାମୁଁ ଘରେ ରହୁଛନ୍ତି । ଏହି ଅନାଥ ଶିଶୁମାନଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ପ୍ରାପ୍ତ ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତ ଅଧିନସ୍ଥ କୁଲିହାରିଗୁଡା ଗ୍ରାମର ବିରକିଶୋର ଲହଜଲଙ୍କ ପରିବାର ହସଖୁସିରେ ଚାଲିଥିଲା । ତେବେ ହଟାତ ଦୁଃଖର କଳାବାଦଲ ଘୋଟିଆସି ୨୦୧୫ ମସିହାରେ ବୀରକିଶୋରଙ୍କ ପତ୍ନୀ ସାନ୍ତରା ଲହଜାଲଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ୨୦୧୯ ମସିହାରେ ବୀରକିଶୋର ଲହଜଲ ଆଖିବୁଜିଲେ । ଏବର୍ଷ ବୀରକିଶୋରଙ୍କ ଦ୍ବିତୀୟ ପତ୍ନୀ ଭୂମିସୂତା ମଧ୍ୟ ଇହଧାମ ତ୍ୟାଗ କରିଛନ୍ତି । ପିତାମାତାଙ୍କ ମୃତ୍ୟୁ ପରେ ଏହି ପରିବାରର ଚାରି ଭାଇ ଭଉଣୀ ଅସହାୟ ହୋଇ ପଡିଛନ୍ତି । ଏହି ପରିବାରରେ ବର୍ତ୍ତମାନ ବଡଝିଅ ସୁମନୀ ଲହଜାଲ (୨୦), ଦ୍ବିତୀୟ ଝିଅ ଗୁଆଦେଇ (୧୭), ତୃତୀୟ ପୁଅ ରୋସନ ଲହଜାଲ ଓ ଚତୁର୍ଥ ଝିଅ ସୁବି ଲହଜଲ (୫) ରହିଛନ୍ତି । ସାନ ଭାଇ ଭଉଣୀ ମାନଙ୍କୁ କିପରି ମଣିଷ କରି ପାରିବେ ସେହି ଚିନ୍ତା ଘାରୁଛି ଘରର ବଡ଼ ଝିଅ ସୁମନୀଙ୍କ ମୁଣ୍ଡରେ । ଏହି ପରିବାରର ଦୁଃଖ କଥା ଜାଣିବାପରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଖସିଗୁଡା ଗ୍ରାମରେ ପହଞ୍ଚି ଶିଶୁ ମାନଙ୍କୁ ଭେଟି କିଛି ଆର୍ଥିକ ସହାୟତା ପ୍ରଦାନ କରିବାସହ କିପରି ଭାବରେ ସେମାନଙ୍କ ସୁ ବ୍ୟବସ୍ଥିତ ପାଠପଢ଼ା ହୋଇପାରିବ ସେନେଇ ପ୍ରୟାସ କରିବେ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯାଦବ ନେତା ନରହରି ବାଗ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ଡାକେ ଲହଜଲ, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ସହ ସମ୍ପାଦକ ତ୍ରିଲକ୍ଷ ନାଏକ, ଧର୍ମଗଡ଼ ବ୍ଲକ ଯୁବ ସଭାପତି ଲବଣୀ ରାଉତ, ଜିଲ୍ଲା ଯୁବ ଯାଦବ ମିଡ଼ିଆ ସେଲ ସଂଯୋଜକ ସୁରଥ ହେର୍ଣ୍ଣା, କେସିଙ୍ଗା ଏନଏସିର କାଉନସିଲର ପ୍ରକାଶ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.