ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ମାଲପଡାର ଚାଷୀ ମାନେ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗକୁ କେନାଲ ପାଣି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ସୁଣି ନଥିଲେ। ଶେଷରେ ଚାଷୀମାନେ ଅଣ୍ଟାଭିଡ଼ି ନିଜ ଉଦ୍ୟମରେ ଚାଷ ଜମିରେ ପାଣି ମଢାଇଛନ୍ତି। କୋକସରା ବ୍ଳକର ୯୦ ପ୍ରତିଶତ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବାବେଳେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ବ୍ଳକରେ ୨୦ ପ୍ରତିଶତ ଚାଷ ମଧ୍ୟ ଆଗେଇ ପାରିନାହିଁ। ଏଭଲି ସ୍ଥିତିରେ ଚାଷୀଙ୍କୁ କେନାଲ ପାଣି ହିଁ ଏକ ମାତ୍ର ଭରସା ରହିଛି। ହେଲେ ଚାଷୀଙ୍କ ଅଭିଯୋଗ ପରେ ମଧ୍ୟ ସୁଣି ନାହାନ୍ତି କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ। ଯାହା ଫଳରେ କେନାଲ ରୁ ଚାଷୀଙ୍କ ଜମିକୁ ପାଣି ମାଡ଼ି ପାରୁନାହିଁ। ଏନେଇ ମହିମା ପଞ୍ଚାୟତ ମାଲପଡାର ଚାଷୀ ଅଣ୍ଟାଭିଡି କ୍ଷେତରେ ପାଣି ମଢାଇଛନ୍ତି। ସୂଚନା ଯେ’ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ କୋକସରା କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଅଧିନରେ ବେହେରା ଡ୍ୟାମ୍ ରହିଛି। ଏହି ଡ୍ୟାମରୁ ବ୍ଳକର ୪ଗୋଟି ପଞ୍ଚାୟତର ଚାଷୀଙ୍କ କ୍ଷେତକୁ ଖରିଫ ଋତୁରେ ୨ହଜାର ହେକ୍ଟର ଓ ରବି ଋତୁରେ ୫ଶହ ହେକ୍ଟର ପାଣି ମାଡ଼ିଥାଏ। ତେବେ ମହିମା ମଳପଡାର ଚାଷୀଙ୍କ ଜମିରେ ପାଣି ମାଡ଼ି ପାରୁନାହିଁ। ତେଣୁ ଚାଷ କାର୍ଯ୍ୟ ଆରମ୍ଭରୁ କେନାଲ ମରାମତି ନିମନ୍ତେ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ହେତୁ ଚାଷୀଙ୍କ ଜମିକୁ ପାଣି ମାଡ଼ି ପାରୁନାହିଁ। ଏନେଇ ମାଲପଡାର ଚାଷୀ ମାନେ ବେହେରା ଡ୍ୟାମ୍ ରୁ ସଂଯୋଗ ରହିଥିବା ଡେଙ୍ଗାଗୁଡା ହାଇ ସ୍କୁଲ ନିକଟସ୍ଥ ମୁଖ୍ୟ କେନାଲରୁ ମାଲପଡା କୁ ଏକ ନୂତନ ଶାଖା କେନାଲ ସଂଯୋଗ କରିବା ପାଇଁ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିରରେ ଜଣାଇଥିଲେ। ସେହି ସମୟରେ ଜିଲ୍ଲାପାଳ ବିଭାଗୀୟ ଯନ୍ତ୍ରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ତଦନ୍ତ କରି ଫେରିବା ପରେ ଆଉ କୌଣସି କାମ ହେଲା ନାହିଁ, ପରବର୍ତ୍ତୀ ସମୟରେ କୋକସରା ସ୍ଥିତ ବିଭାଗୀୟ କାର୍ଯ୍ୟଳୟ କୁ ଚାଷୀ ମାନେ ଯାଇଥିଲେ ମଧ୍ୟ କର୍ମଚାରୀ କି କନିଷ୍ଠ ଯନ୍ତ୍ରୀଙ୍କ ଦେଖା ଦର୍ଶନ ମିଲି ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଚାଷ ବଞ୍ଚାଇବା ପାଇଁ ଏବେ ଚାଷୀମାନେ ଜମିରେ ପାଣି ନେବାକୁ ମୁଖ୍ୟ କେନାଲ ଡେଙ୍ଗାଗୁଡା ହାଇସ୍କୁଲ ନିକଟରୁ ଉଦ୍ୟମ କରି ଦେବାନନ୍ଦ ଦଣ୍ଡସେନା, ପବିତ୍ର ନାଏକ, ବାଲ୍ମିକୀ ଧ: ମାଝୀ, ତୁଲାରାମ ଧ:ମାଝୀ, ଶୁଶିଲ ଦଣ୍ଡସେନା, ଆତ୍ମା ଧ:ମାଝୀ, ନିଳକଣ୍ଠ ପାତ୍ର, ଲୋକନାଥ ନାଏକ, ହେମନ୍ତ ଧ:ମାଝୀ, ପବିତ୍ର ଧ:ମାଝୀ ପ୍ରମୁଖ ଚାଷୀ କ୍ଷେତକୁ ପାଣି ନେଉଥିବା ଦେଖିବାକୁ ମିଳୁଛି। ଏନେଇ କୋକସରା କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଆମେ ତଦନ୍ତ ପାଇଁ ଯାଇଥିଲୁ, ଏବଂ ରିପୋର୍ଟ ପ୍ରଦାନ କରିଛୁ, ଆଗାମୀ ବର୍ଷରେ ପ୍ରାୟ ଦେଢ଼ କୋଟି ଟଙ୍କାରେ ନୂତନ ଶାଖା କେନାଲ ହେବ ବୋଲି କହିଛନ୍ତି।