ଆତଙ୍କବାଦୀଙ୍କ ଗୁଳିରେ ୨ ସେନାଧିକାରୀ, ଜଣେ ଡିଏସପି ସହିଦ

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଆତଙ୍କବାଦୀଙ୍କ ଗୁଳିରେ ୨ ସେନା ଅଧିକାରୀ ସହିଦ ହୋଇଥିବା ସୂଚନା ରହିଛି। ସ୍ଥଳସେନାର ଜଣେ କର୍ଣ୍ଣେଲ ଓ ଜଣେ ମେଜର ସହିଦ ହୋଇଛନ୍ତି। ସହିଦ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶୀଷ ଧନଚକ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜମ୍ମୁ ଓ କଶ୍ମୀର ପୋଲିସର ଡିଏସପି ହୁମାୟୁନ ଭଟ୍ ସହିଦ ହୋଇଛନ୍ତି। ଉଭୟ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର ନେତୃତ୍ୱ ନେଉଥିଲେ। ଜଣେ ଫେରାର ଆତଙ୍କବାଦୀର ତଲାସୀ ଜାରି ରହିଥିବାବେଳେ ସେ ଅନନ୍ତନାଗର ଗାଡୋଲେ ଅଞ୍ଚଳରେ ଲୁଚି ରହିଥିବା ସୂଚନା ରହିଛି। ଗୁଇନ୍ଦା ବିଭାଗରୁ ସୂଚନା ମିଳିବା ପରେ ସେନା ଓ ପୋଲିସ ପକ୍ଷରୁ ଉକ୍ତ ସ୍ଥାନକୁ ଘେରାଉ କରିବା ପରେ ବୁଧବାର ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟର ବେଳେ ଆତଙ୍କବାଦୀମାନେ ବି ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଉପରୋକ୍ତ ତିନି ସୁରକ୍ଷା ଅଧକାରୀ ସହିଦ ହୋଇଛନ୍ତି। ସେହିପରି ଆଉ କିଛି ଯବାନ ଓ ପୁଲିସ୍‌ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଏବେ ବି ଘଟଣା ସ୍ଥଳରେ ଘମାଘୋଟ ଗୁଳି ବିନିମୟ ଜାରି ରହିଛି। ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଆର୍ମିର ୧୫ କ୍ରପ୍ସ କମାଣ୍ଡର ଓ ଜମ୍ମୁ-କଶ୍ମୀର ପୋଲିସ୍‌ର ଡିଜି ଦିଲବାଗ ସିଂହଙ୍କ ବହୁ ବରିଷ୍ଠ ଅଧିକାରୀ ଏନକାଉଣ୍ଟର ସ୍ଥଳରକୁ ଯାଇଛନ୍ତି। ଘଟଣା ସ୍ଥଳରୁ ୩ ବରିଷ୍ଠ ସୁରକ୍ଷାକର୍ମୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ରାଜୌରୀର ଦୁର୍ଗମ ନର୍ଲା ଗ୍ରାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲା । ଏହି ଗୁଳିବିନିମୟରେ ସେନାର ଜଣେ ଅଧିକାରୀ ସହିଦ ହୋଇଥିଲେ ଓ କୁକୁର କେଣ୍ଟ ନିହତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.