ପୁଣି ଋଷର ରାଷ୍ଟ୍ରପତି ହେବେ ଭ୍ଲାଡିମିର ପୁଟିନ୍

ଓଡ଼ିଆ ବାର୍ତ୍ତା/ ମସ୍କୋ: ପୁଣି ଋଷର ରାଷ୍ଟ୍ରପତି ହେବେ ଭ୍ଲାଡିମିର ପୁଟିନ୍। ୨୦୨୪ ମାର୍ଚ୍ଚ ୧୫-୧୭ ମଧ୍ୟରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ ଅଧିକାରୀ । ତାରିଖ ଘୋଷଣା ପରେ ପଞ୍ଚମ ଥର ପାଇଁ ପୁଟିନ୍ ପୁଣି ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ଯଦି ଏପରି ହୁଏ ତେବେ ୨୦୩୦ ଯାଏ ସେ ପୁଣି ପଦରେ ରହିବେ। ଋଷର ସଂସଦର ଉପର ଗୃହ ଫେଡେରେସନ୍ କାଉନସିଲ୍ ଆନୁଷ୍ଠାନିକ ଭାବେ ନିର୍ବାଚନ ଘୋଷଣା କରିଛି। ପରେ ନିର୍ବାଚନ ଆୟୋଗ ୧୫ରୁ ୧୭ ମାର୍ଚ୍ଚ ମଧ୍ୟରେ ତିନିଦିନିଆ ନିର୍ବାଚନ କରାଯିବ ବୋଲି ସୂଚନା ଦେଇଛି । କ୍ରେମଲିନ୍‌ର ସରକାରୀ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ପୁଟିନ ଦେଶର ରାଷ୍ଟ୍ରପତି ହୋଇ ରୁହନ୍ତୁ ବୋଲି ଦେଶର ଜନତା ଇଚ୍ଛା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ପୁଟିନଙ୍କର ବୟସ ବର୍ତ୍ତମାନ ୭୧ ବର୍ଷ।ଋଷର ସମ୍ବିଧାନରେ ୨୦୨୦ରେ ସଂଶୋଧନ କରାଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ରୁ ୬ ବର୍ଷକୁ ବୃଦ୍ଧି କରାଯାଇଥିଲା। ଯଦି ପୁଟିନ୍ ମାର୍ଚ୍ଚ ୨୦୨୪ ନିର୍ବାଚନରେ ଜିତନ୍ତି, ତେବେ ସେ ୨୦୩୦ ପର୍ଯ୍ୟନ୍ତ ପୁଣି ଋଷ ରାଷ୍ଟ୍ରପତି ରହିବେ। ଋଷରେ ବିରୋଧୀ ଦଳଙ୍କର କୌଣସି ଅସ୍ତିତ୍ବ ନାହିଁ। ଋଷର ଗଣମାଧ୍ୟମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୁଟିନଙ୍କ ଆନୁଗତ୍ୟ ହୋଇ ରହିଛି। ପୂର୍ବରୁ ୨୦୦୦ ରୁ ୨୦୦୮ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଛନ୍ତି। ସେହିପରି ୨୦୧୨ରେ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଭୂମିକା ନିର୍ବାହ କରିଛନ୍ତି। ଏହିପରି ଭାବେ ପୁଟିନ ସୋଭିଏତ୍ ଏକଛତ୍ରବାଦୀ ଶାସକ ଜୋସେଫ ଷ୍ଟାଲିନଙ୍କଠାରୁ ଅଧିକ ସମୟ କ୍ଷମତାରେ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.