ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ଭାଙ୍ଗିବା ଘଟଣାର ଅନ୍ତରାଳେ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): ସବୁ ଠିକ୍ ଠାକ୍ ଥିଲା । ସ୍ୱାଭାବିକ ପରିସ୍ଥିତିରେ ନିଜ ନିଜ କାମ ସାରି ଲୋକେ ନିଘୋଡ଼ ନିଦରେ ଶୋଇଥିବା ବେଳେ, ଅଚାନକ ପ୍ରବଳ ସ୍ରୋତରେ ଗାଁ ମୁହାଁକୁ ପାଣି ମାଡ଼ି ଆସିଲା । ଲୋକେ କିଛି ବୁଝିବା ପୂର୍ବରୁ ଚାଷ ଜମି ଜଳମଗ୍ନ ହେବା ସହ ଘରେ ଘରେ ପାଣି ପଶିଗଲା। ଏ ଥିଲା ସୋମବାର ବିଳମ୍ବିତ ରାତିର ଘଟଣା। କେନାଲ ଭୁଶୁଡ଼ି ଥିବା ଚାରିଆଡ଼େ ରାତାରାତି ଖବର ପହଞ୍ଚିବା ପରେ ପ୍ରସାସନିକ ମହଲରେ ତତ୍ପରତା ଦେଖା ଦେଇଥିଲା। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ଗ୍ରାମ ଠାରେ ଇନ୍ଦ୍ରାବତୀ ଡାହାଣ କେନାଲ ଭାଙ୍ଗି ଥିବା ସ୍ଥାନକୁ ପ୍ରସାସନିକ ଅଧିକାରୀ ମାନଙ୍କ ସୁଅ ଛୁଟିଥିଲା।ଧନ ଜୀବନକୁ ବଞ୍ଚାଇବା ପାଇଁ ଗ୍ରାମ ବାସୀଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲର ଫାଟକକୁ ତୁରନ୍ତ ବନ୍ଦ କରିଦେବା ଫଳରେ ଜଳ ସ୍ରୋତ କମିଥିଲା। ସୋମବାର ଅପରାହ୍ନ ବେଳକୁ ପରିସ୍ଥିତିରେ ସୁଧାର ଆସିଥିଲା । ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ କରାଗଲା। ସୋମବାର ରାତି ତମାମ ଇନ୍ଦ୍ରାବତୀ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ଏବଂ ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା ତତ୍ତ୍ଵାବଧାନରେ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ, ଆଜି ମଙ୍ଗଳବାର ଦିନ ମଧ୍ୟ ଅନୁରୂପ ଭାବେ କାମ ଆଗେଇ ଚାଲିଛି । ଏନେଇ ବିଭାଗ ଯଥାଶୀଘ୍ର କେନାଲ ମରାମତି କାର୍ଯ୍ୟ ସମ୍ପୂର୍ଣ କରି ଚାଷୀଙ୍କୁ ପୁନର୍ବାର ଜଳ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଏହି କାର୍ଯ୍ୟ କେବେ ସମ୍ପୂର୍ଣ ହେବ ଓ ଚାଷୀ କେନାଲ ଯୋଗେ ଜଳ କେବେ ମିଳିବ ତାକୁ ହିଁ ଅପେକ୍ଷା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.