ଲୋକପ୍ରିୟ ପାରିବାରିକ ମାସିକ ପତ୍ରିକା ‘ରେବତୀ’ର ଚଳିତ ସଂଖ୍ୟା ପର୍ଯ୍ୟଟନ ପ୍ରସଙ୍ଗକୁ ନେଇ ଆତ୍ମପ୍ରକାଶ କଲା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ୨୦୧୮ ଅକ୍ଟୋବରରୁ ନିୟମିତ ଭାବରେ ବାଲେଶ୍ଵରରୁ ପ୍ରକାଶ ପାଇ ଆସୁଥିବା ମାସିକ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ ଚଳିତ ମାର୍ଚ୍ଚ ସଂଖ୍ୟା ପର୍ଯ୍ୟଟନ ବିଶେଷାଙ୍କ ଭାବରେ ବଜାରକୁ ଆସିଛି। ଫଗୁଖେଳର ପାରମ୍ପରିକ ପ୍ରତୀକରେ ମଡେଲ ମଧୁସ୍ମିତା ଜେନା ମହାପାତ୍ରଙ୍କ ମନଲୋଭା ପ୍ରଚ୍ଛଦ ପାଠକଙ୍କ ମନ କିଣିନେଇଛି।

ବାଲେଶ୍ଵର ମାଟିର କନ୍ୟା ସୁବାସିନୀ ଜେନାଙ୍କ ଉଦ୍ୟମ ଓ ଆଗ୍ରହ ଫଳରେ ତାଙ୍କରି ସମ୍ପାଦନାରେ ‘ରେବତୀ’ କେବଳ ବାଲେଶ୍ଵର ନୁହେଁ, ସମଗ୍ର ଓଡ଼ିଶାରେ ସୁନାମ ଅର୍ଜନ କରିବା ସହ ପାଠକପାଠିକାଙ୍କ ଦ୍ଵାରା ଆଦୃତ ହୋଇଛି। ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଉଥିବା ଏହି ପତ୍ରିକାଟି ପରିବାରର ସମସ୍ତଙ୍କ ରୁଚିକୁ ଦେଖି ପ୍ରସ୍ତୁତ ହୋଇଥିଲେ ହେଁ ବୟୋଜ୍ୟେଷ୍ଠ ସଦସ୍ୟମାନେ ଏହାକୁ ପଢିବାରେ ଅଧିକ ଆଗ୍ରହ ଦେଖାଇଥାନ୍ତି। ଓଡିଶାର ଐତିହ୍ୟ, ପରମ୍ପରା, ସାହିତ୍ଯ ସଂସ୍କୃତି, ବିଭିନ୍ନ ସ୍ଥାନ, ନଦନଦୀ, ମହାନ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ସୌନ୍ଦର୍ଯ୍ୟ ଓ ରୋଷେଇ ପରି ପ୍ରସଙ୍ଗ ଏଥିରେ ପ୍ରାଧାନ୍ୟ ପାଇଥାଏ।

ଚଳିତ ମାର୍ଚ୍ଚ ସଂଖ୍ୟାଟି ପର୍ଯ୍ୟଟନ ବିଶେଷାଙ୍କ ହୋଇଥିବାରୁ ଏଥିରେ ଓଡ଼ିଶା, ଭାରତ ଏବଂ ବିଦେଶର କିଛି ପର୍ଯ୍ୟଟନସ୍ଥଳୀକୁ ସୁନ୍ଦର ଭାବେ ସଚିତ୍ର ପ୍ରକାଶ କରାଯାଇଛି। ନିଆଳିର ଶ୍ରୀମାଧବାନନ୍ଦ ମନ୍ଦିର, ମନାଲିର ମହାଦେବ, କେରଳର କଥା, ମାଲେସିଆର ପେନାଙ୍ଗ୍, ବାଂଲାଦେଶର ରାଜଶାହୀ, ନେପାଳର ନିଆରାପଣ, କାଲିଫର୍ଣ୍ଣିଆର ଅଙ୍ଗୁର, ଅରୁଣାଚଳର ତଓ୍ଵାଙ୍ଗ୍, ରାଜସ୍ଥାନର ମାର୍ବଲ ସିଟି ଆଦିର ଭ୍ରମଣକାହାଣୀ ଏଥିରେ ପଢିବାକୁ ମିଳିବ। ୫୦ ଟଙ୍କାରେ ବିକ୍ରି ହେଉଥିବା ଏହି ୧୦୮ ପୃଷ୍ଠାର ରଙ୍ଗୀନ ପତ୍ରିକାରେ ଆହୁରି ଅନେକ କଥା ପଢିବା ପାଇଁ ପାଠକମାନେ ପାଇବେ ବୋଲି ସମ୍ପାଦନା ବିଭାଗ କହିଛି। ଓଡ଼ିଶାର ସବୁ ସହରର ପ୍ରମୁଖ ବୁକଷ୍ଟଲ୍ ମାନଙ୍କରେ ‘ରେବତୀ’ ମିଳୁଥିବା ବେଳେ ‘ଆମାଜନ’ରୁ ମଧ୍ୟ ଅର୍ଡର ଦେଇ କିଣିବାର ସୁବିଧା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.