ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ମହା ଶିବରାତ୍ରୀ ଅବସରରେ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୋନପୁରର ପ୍ରସିଦ୍ଧ ଶ୍ରୀ ରାମେଶ୍ବର ଶୈବପୀଠ ଠାରେ ସାମୂହିକ ବ୍ରତପୋନୟନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୩୪ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ଓ ତଦାରଖର ଦାୟିତ୍ୱ ସୋନପୁରର ବିଶିଷ୍ଟ ସମାଜସେବୀ ତଥା ସାଧାରଣ ମଣିଷଙ୍କ ଭିତରେ ଜଣେ ଅସାଧାରଣ ମଣିଷ ଶ୍ରୀବତ୍ସ ମଲ୍ଲିକ ଓ ତାଙ୍କ ଧର୍ମ ପତ୍ନୀ ମୈଥିଳୀ ମଲ୍ଲିକ ନେଇ ଆସୁଛନ୍ତି। ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର ଆଠରୁ ଦଶ ଜଣ ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଏ ବର୍ଷ ୧୧ ଜଣ ବାଳକଙ୍କୁ ସାମୂହିକ ବ୍ରତ କରାଯାଇଛି। ପୁରୀ ଶ୍ରୀ ରାମଜୀ ମଠର ମହନ୍ତ ବଂଶୀଧର ଦାଶ ଜୀ ମହାରାଜ ଯୋଗଦେଇ ଏହି ବାଳବ୍ରହ୍ମଚାରୀଙ୍କୁ ଆଶୀର୍ବାଦ ପ୍ରଦାନ କରି ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୂହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକଙ୍କ ବଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ। ପଣ୍ଡିତ ବେଦବ୍ୟାସ ମିଶ୍ର, କାଳିଚରଣ ମିଶ୍ର, ଆଶିଷ ମିଶ୍ର, ରାମାନୁଜ ପୂଜାରୀ, ଆନନ୍ଦ ପୂଜାରୀ, ବାସୁଦେବ ଶତପଥୀ, ନୀଳମଣି ଓତା, ବିଦେଶୀ ବାବୁ, ମଧୁ ଦାଶ, କରୁଣାକର ରଥ, ଟଙ୍କଧର ମିଶ୍ର ପ୍ରମୁଖ ପଣ୍ଡିତମାନେ ପୂଜା କାର୍ଯ୍ୟ କରିଥିଲେ। ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗଦାନ କରି ବାଳ ବ୍ରହ୍ମଚାରୀମାନଙ୍କୁ ଆଶୀର୍ବାଦ କରି ସାମୁହିକ ପ୍ରସାଦ ସେବନ କରିଥିଲେ।