ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ରବିବାର ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ଆମପାଣି ମଣ୍ଡଳ ତରଫରୁ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଧାୟକ ଶ୍ରୀ ପାଟ୍ଟଯୋଷୀ ଡୋକରୀ ଚଞ୍ଚରା ପହଞ୍ଚି ପ୍ରଥମେ ଶ୍ରୀରାମ ମନ୍ଦିର ଦର୍ଶନ କରିଥିଲେ। ପରେ ମନ୍ଦିର ପରିସରରେ ନବ ନିର୍ବାଚିତ ବିଧାୟକଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ଅବସରରେ ବିଧାୟକ ଶ୍ରୀ ପାଟ୍ଟଯୋଷୀ ଅଞ୍ଚଳର ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଜଳ ସେଚନ, ଗମନା ଗମନ ଓ ବିଭିନ୍ନ ସମସ୍ୟାର ସୁଧାର ଆଣିବା ଦିଗରେ ଚେଷ୍ଟା କରିବା ସହ ଅନେକ ଗୁଡ଼ିଏ ଉନ୍ନୟନମୂଳକ କାର୍ଯ୍ୟ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ସମ୍ବର୍ଦ୍ଧନା ସଭାରେ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ଘନଶ୍ୟାମ ନାଏକ, ଡୋକରୀ ଚଞ୍ଚରା ଉନ୍ନୟନ ସମିତିର ସଭାପତି ଭଦ୍ରେଶ୍ବର ପାତ୍ର, ଅପ୍ରେସ ସ୍ବାଇଁ, ଗରୁଡଧ୍ବଜ ମାଝୀ, ହିମାଂଶୁ ପାଢ଼ୀ, ବିଭୁଦତ୍ତ ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଆମପାଣି ମଣ୍ଡଳ ଉପ-ସଭାପତି ଚକ୍ରଧର ବେଶ୍ରା ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ମଧୁବନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିନିଧି ଭଜମନ ନାଏକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଧରିତ୍ରୀ ବାଗ, କୃଷ୍ଣଚନ୍ଦ୍ର ନାଏକ, ତୁଲାରାମ ନାଏକ, ଲିଙ୍ଗରାଜ ରାଠୋଡ, ସନ୍ତୋଷ ମାଝୀ, ସୁବାଷ ଖର୍ସେଲ, ମକରନ୍ଦ ବାଗ, ଟଙ୍କଧର ନାଏକ, ଲଲିତ ନାଏକ, ପବିତ୍ର ମାଝୀ, ନରେନ୍ଦ୍ର ନାଏକ ସମେତ ବହୁ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।