ବିଶ୍ୱନାଥ ସାହୁ ପାଇବେ ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାନଦୀ ସାହିତ୍ୟ ସଂସଦ ଠାରେ ଗଦ୍ୟାଂଶ ସାହିତ୍ୟ ପତ୍ରିକା ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷ ପାଇଁ ସମ୍ମାନଜନକ “ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର” ପାଇବେ ଓଡ଼ିଆ କଥା ସାହିତ୍ୟର ସ୍ଵନାମଧନ୍ୟ ଯୁବ କଥାଶିଳ୍ପୀ ବିଶ୍ୱନାଥ ସାହୁ। ତାଙ୍କର ଗଳ୍ପ ସଂକଳନ “ମୂର୍ତ୍ତି ପ୍ରବେଶ” ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ସଂଧ୍ୟାରେ ସୁବର୍ଣ୍ଣପୁରର ମହାନଦୀ ସାହିତ୍ୟ ସଂସଦ ସଭାଗୃହଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିଥି ଭାବରେ ଯୋଗଦେଇଥିବା ବରିଷ୍ଠ ନାଟ୍ୟକାର, ନିର୍ଦେଶକ ତଥା ଓଜସ ପତ୍ରିକାର ମୁଖ୍ୟ ସମ୍ପାଦକ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ବରିଷ୍ଠ କବି ଡକ୍ଟର ସୌରଭ ରଞ୍ଜନ ଖମାରୀ ଏହି ଘୋଷଣା କରିଛନ୍ତି।

ଗଦ୍ୟାଂଶ ସାହିତ୍ୟ ପତ୍ରିକା ତରଫରୁ ପ୍ରତିବର୍ଷ ୩୫ ବର୍ଷ ବୟସ ସୀମା ଭିତରେ ଓଡ଼ିଆ କଥା ସାହିତ୍ୟର ଜଣେ ଯୋଗ୍ୟତମ ପ୍ରତିଭାଙ୍କୁ ଚୟନ କରାଯାଇ ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ବରପାଲି ମହାବିଦ୍ୟାଳୟ, ବରଗଡ଼ ଠାରେ ଓଡ଼ିଆ ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିବା ବିଶ୍ଵନାଥ ସାହୁଙ୍କ ପ୍ରକାଶିତ ଅନ୍ୟ ପୁସ୍ତକ ସବୁ ହେଲା “ଶବଦ ବଗିଚା” (ମନୋଜ କୁମାର ପଣ୍ଡାଙ୍କ ଗଳ୍ପ : ଏକ ଶୈଳୀତାତ୍ତ୍ୱିକ ଅନୁଶୀଳନ) ତାଙ୍କ ସମ୍ପାଦନାରେ ଦୟାନିଧି ମିଶ୍ରଙ୍କ ସମଗ୍ର ଗଳ୍ପ ସଂକଳିତ ପୁସ୍ତକ ‘କଥା କଦମ୍ବ” ମନୋଜ କୁମାର ପଣ୍ଡାଙ୍କ ଗଳ୍ପ ସମଗ୍ର, ଦିବ୍ୟସିଂହ ପାଣିଗ୍ରାହୀଙ୍କ ସମସ୍ତ ଗପ ସଂକଳିତ ପୁସ୍ତକ “ଅମୃତ କଙ୍କଣ” ଆଦି ପ୍ରକାଶିତ ହୋଇଛି। ଡିସେମ୍ବର ମାସରେ ହେବାକୁ ଥିବା “ଗଦ୍ୟାଂଶ ଉତ୍ସବ”ରେ ବିଶ୍ୱନାଥଙ୍କୁ ପୁରସ୍କାର ସ୍ଵରୂପ ଅର୍ଥରାଶି, ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବା ନେଇ ସୂଚନା ମିଳିଛି। ଏହି ଉତ୍ସବରେ ଗାଳ୍ପିକା ମିନା ସ୍ୱାଇଁ ଓ ଗାଳ୍ପିକା ହେମାଙ୍ଗିନୀ ଦାଶଙ୍କୁ “ଗଦ୍ୟାଂଶ ସାଧନା ସମ୍ମାନ” ରେ ସମ୍ମାନିତ କରାଯିବା ସହିତ କବି, ସମ୍ପାଦକ ଓ ସଂଗଠକ ସୁରଞ୍ଜନ ପାତ୍ରଙ୍କୁ “ସ୍ୱତନ୍ତ୍ର ପ୍ରତିଭା ସମ୍ମାନ” ରେ ସମ୍ମାନିତ କରାଯିବ ବୋଲି ଗଦ୍ୟାଂଶର ସମ୍ପାଦକ କ୍ଷୀରୋଦ ବିହାରୀ ବିଶ୍ୱାଳ ଓ ସ୍ନେହଲତା ଦାଶଲେଙ୍କା ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀକୁ ଗଦ୍ୟାଂଶର ସହ-ସମ୍ପାଦକ ଶିବରାଜ କମ୍ପ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.