ବିପଦସଙ୍କୁଳ ଅବସ୍ଥାରେ ଟଙ୍କାମାଳ ଅଙ୍ଗନୱାଡି କେନ୍ଦ୍ର

ଭଡା ଆବାସ ଗୃହରେ ଚାଲିଛି ଶିକ୍ଷାଦାନ, ୪ ବର୍ଷ ବିତିଲା ନିର୍ମାଣ ହୋଇପାରିଲାନି କୋଠା 

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସରକାର କୋମଳମତି ଶିଶୁ ମାନଙ୍କ ବୌଦ୍ଧିକ ଜ୍ଞାନ, ଶାରୀରିକ ଗଠନ ଓ ପ୍ରାକ୍ ଶିକ୍ଷା ଗ୍ରହଣ କରିବା ପାଇଁ ବିଭିନ୍ନ ଗାଁ ଗଣ୍ଡା ଗୁଡିକରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରଯାଇଛି। ଏଥି ପାଇଁ ଜଣେ ଅଙ୍ଗନୱାଡି କର୍ମୀ ନିୟୋଜିତ ରହୁଛନ୍ତି। ଶିଶୁ ମାନଙ୍କ ପାଇଁ କେନ୍ଦ୍ରରେ ପ୍ରାକ୍ ଶିକ୍ଷା ପରେ ପୌଷ୍ଟିକ ଆହାର ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ଏଥିପାଇଁ ସରକାରୀ ସ୍ତରରେ ବହୁ ଟଙ୍କା ବ୍ୟୟ ବରାଦ କରାଯାଉଛି। ହେଲେ ପ୍ରକୃତରେ ଏହା କେତେଦୂର ସଫଳ ତାହା ବୁଝିବାକୁ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହି ଯୋଜନା ବାଟ ବଣା ହେଉଥିବା ମନେ ହେଉଛି। ଯେଉଁ ଉଦ୍ଦେଶ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହାର ମହତ ଉଦ୍ଦେଶ୍ୟ ସାଧିତ ହୋଇପାରୁ ନାହିଁ ଯାହା ଫଳରେ କୋମଳମତି ଶିଶୁ ମାନଙ୍କୁ ବାର ଦୁଆରଶୁଣ୍ଡି ପିଣ୍ଡା ହେବା ସହିତ ପ୍ରାକ୍ ଶିକ୍ଷା ଗ୍ରହଣରେ ଅବ୍ୟବସ୍ଥା ଦେଖା ଦେଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ନଙ୍ଗଳବୋର୍ଡ ଗ୍ରାମ ପଞ୍ଚାୟତର ଟଙ୍କାମାଳ ଅଙ୍ଗନୱାଡି କେନ୍ଦ୍ରରେ ସର୍ବମୋଟ ୨୯ ଜଣ ଶିଶୁ ପ୍ରାକ୍ ଶିକ୍ଷା ଗ୍ରହଣ କରିଥାନ୍ତି। ଏମାନଙ୍କ ପାଇଁ ଦଶ ବର୍ଷ ପୂର୍ବେ ନୂତନ କୋଠା ନିର୍ମାଣ କରାଯାଇଥିଲା। ହେଲେ ନିର୍ମାଣର କିଛି ବର୍ଷ ପରେ ଛାତ ଉପରୁ ପାଣି ଝରିବା ଆରମ୍ଭ ହୋଇଥିଲା ପରବର୍ତ୍ତୀ ସମୟରେ କାନ୍ଥ ଫାଟି ଆଁ କରିବା ସହ ସିମେଣ୍ଟ ଅତଡ଼ା ଖସି ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।

ପ୍ରାଶାସନିକ ଅଧିକାରୀଙ୍କ ନିକଟରେ ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀ ଅଭିଯୋଗ କରିବା ପରେ କେନ୍ଦ୍ରକୁ ବନ୍ଦ କରିବା ସହ ଏକ ଭଡା ଘରେ ପାଠ୍ୟ ଦାନ କରିବା ପାଇଁ କହିବା ପରେ ଭଡା ଘରେ ପାଠ ପଢା ଚାଳିଛି। ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ନୂତନ କୋଠା କିମ୍ବା ମରାମତି ଦିଗରେ ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ଗ୍ରାମବାସୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ ବ୍ୟକ୍ତିଙ୍କ ଆବାସ ଗୃହରେ ଚାଲିଥିବା ବେଳେ ସେଠାରେ ରହୁଥିବା ବ୍ୟକ୍ତିଙ୍କ ଅନେକ ଘର କରଣା ସାମଗ୍ରୀ ରହିଛି। ଉପଯୁକ୍ତ ପରିବେଶ ହୋଇ ନ ଥିଲେ ମଧ୍ୟ ବାଧ୍ୟ ହୋଇ ସେଠାରେ ପାଠ୍ୟଦାନ ଚାଳିଛି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ଖାଇବା ରେ ମଧ୍ୟ ଅସୁବିଧା ହେଉଥିବାରୁ କୋମଳମତି ଶିଶୁ ମାନେ ଏଣେ ତେଣେ ଘୂରିବୁଲୁଥିବା ବେଲେ ସାଙ୍ଗରେ ଅଭିଭାବକ ଅଭିଭାବିକା ମାନେ ଆସି ନେବା ଆଣିବା କରୁଛନ୍ତି। ଏଭଳି ସ୍ଥିତିରେ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ମହତ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହା ଅନୁମାନ କଲେ ବେଶ୍ ବୁଝା ପଡ଼ୁଛି। ଏହି ଗ୍ରାମଟି ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳ ରେ ଅବସ୍ଥିତ। ଶିକ୍ଷା ର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ ଓ ଶିଶୁ ମାନେ କିଭଳି ପାଠ ପଢି ଭବିଷ୍ୟତ ଗଢିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ଦିଗରେ ପ୍ରଶାସନ ଆଗକୁ କିଭଳି ପଦକ୍ଷେପ ନେଉଛନ୍ତି ତାକୁ ନେଇ ଅପେକ୍ଷା କରିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝିଙ୍କୁ ପଚାରିବାରୁ ବିପଦ ସଙ୍କୁଳ ଥିବାରୁ ଏକ ଭଡା ଘରେ ପାଠ୍ୟଦାନ ଚାଳିଛି। ଏହି ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଦିଆଯାଇଛି ଓ ସିନାପାଲି ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀଙ୍କୁ ଲିଖିତ ଦେଇଛି ବୋଲି ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.