ରାଜ୍ୟରେ ସରକାର ବଦଳିବା ସହ ଗୋଟିଏ ପରେ ଗୋଟିଏ ଯୋଜନାର ନାମ ବଦଳି ଚାଲିଛି। ବିଜୁ ଜନତା ଦଳ ସରକାର ସମୟରେ ଆରମ୍ଭ ହୋଇଥିଲା କାଳିଆ ଯୋଜନା। ଦୁଇଟି କିସ୍ତିରେ ୨ ହଜାର ଲେଖାଏଁ ୪ ହଜାର ଟଙ୍କାରେ ସହାୟତା ପାଉଥିଲେ ଚାଷୀ। ଏବେ ରାଜ୍ୟର ବିଜେପି ସରକାର ଚାଷୀଙ୍କୁ ସେହି ସମାନ ସହାୟତା ଯୋଗାଇ ଦେବେ, ଲକ୍ଷ ମଧ୍ୟ ସମାନ। ତେବେ କାଳିଆ ଯୋଜନା ନାଁ ବଦଳି ହୋଇଛି ସିଏମ କିସାନ ଯୋଜନା। ନୂଆଖାଇ ଅବସରରେ ସିଏମ କିଷାନ ସହାୟତା କାର୍ଯ୍ୟକ୍ରମ ଏବଂ ପିଏମ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନାରେ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ତାଷୀ ଓ ଭୂମିହୀନ କୃଷକ ପରିବାର ଏହି ଯୋଜନାରେ ଉପକୃତ ହେବେ। ୯୨୫କୋଟି ଟଙ୍କାର ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ସିଧା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା – ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ। ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ। ସିଏମ କିଷାନର ଏହି ସହାୟତା ରାଶି ଉଭୟ ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ସମୁଦାୟ ଚାରି ହଜାର ଟଙ୍କା ପ୍ରଦାନ କରାଯିବ। ସିଏମ କିଷାନ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ କୃଷକ କଲ୍ୟାଣକାରୀ ଯୋଜନା ପିଏମ କିଷାନ ଯୋଜନାରେ ଭୂମିଧାରି ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ସିଏମ କିଷାନ ଯୋଡି ହୋଇଗଲେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇବେ। ଏହି ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା କାର୍ଯ୍ୟକୁ ଦୁଇ ମାସ ବୃଦ୍ଧି କରି ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ କୃଷକ ମାନେ ଜନ ସେବା କେନ୍ଦ୍ର ମାଧ୍ୟମରେ ନିଶୁଳ୍କ ଭାବେ ସମ୍ପାଦନ କରି ପାରିବେ। ଏଥି ସହିତ ରାଜ୍ୟର ସମସ୍ତ ଚାଷୀ ମାନଙ୍କ ସୁବିଧା ପାଇଁ କୃଷକ ଓଡିଶା ୟୁନିଫାଏଡ ପୋର୍ଟାଲର ବ୍ୟବସ୍ଥା କରାଯାଇଛି। ଏହା ମାଧ୍ୟମରେ ଚାଷୀ ମାନେ ବିଭିନ୍ନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ଧୀୟ ପ୍ରଚଳିତ ସରକାରୀ ଯୋଜନା ବିଷୟରେ ତଥ୍ୟ ଜାଣିପାରିବେ।




