ହଜିଗଲେ ‘ସବୁ ଶବ୍ଦ ହଜିଯାଏ’ର କବି ଶୁଭେନ୍ଦୁ ମୋହନ ଦାସ : ବାଲେଶ୍ଵରରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ‘ତିନୋଟି ନିଶ୍ବାସର ଆକାଶ’ କବିତା ଗ୍ରନ୍ଥ ମାଧ୍ଯମରେ ଓଡ଼ିଆ ସାହିତ୍ୟରେ ନିଜର ଉପସ୍ଥିତିକୁ ଜାହିର କରିଥିବା ତ‌ଥା ଆଧୁନିକ ଓଡ଼ିଆ କବିତାରେ ସମସ୍ତ ଲକ୍ଷଣକୁ ନିଜ କବିତାରେ ସ୍ଥାନିତ କରିଥିବା ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ ଆଜି ମଧ୍ୟାହ୍ନ ୨. ୨୦ ମିନିଟ ସମୟରେ ବାଲେଶ୍ଵର ସହରସ୍ଥ ପଢୁଆଁପଦାରେ ଥିବା ‘କମଲେ କାମିନୀ’ ନାମକ ତାଙ୍କର ନିଜସ୍ବ ବାସଗୃହରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

Omkar Vasthu
Omkar Vasthu

୧୯୩୬ ମସିହା ଜୁନ୍ ମାସ ୨୫ ତାରିଖରେ ବାଲେଶ୍ବର ଜିଲ୍ଲାର କୁପାରୀ ସନ୍ନିକଟ ଓସ୍ତପାଳ ଗ୍ରାମରେ ଶୁଭେନ୍ଦୁ ମୋହନ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳ ତାଙ୍କର କଲିକତାରେ ଅତିବାହିତ ହୋଇଥିବାରୁ ବଙ୍ଗଳା ଓ ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ଶୈଳୀ ସହ ସେ ବେଶ୍ ପରିଚିତ ହୋଇ ପାରିଥିଲେ । ନିତ୍ୟାନନ୍ଦ ମହାପାତ୍ରଙ୍କ ସମ୍ପାଦିତ ‘ଡଗର’ ସାହିତ୍ୟ ପତ୍ରିକାରେ ସେ ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟର ରଚନା ପ୍ରକାଶ କରି ଜଣେ ପ୍ରତିଭାବାନ କବିର ପରିଚୟ ଦେଇଥିଲେ । ଇଂରାଜୀ ସାହିତ୍ୟର ଧାରା ଓ ବଙ୍ଗଳା ସାହିତ୍ୟର ଗତିକୁ ଓଡ଼ିଆ ସାହିତ୍ୟରେ ପ୍ରୟୋଗ କରି ତାଙ୍କର କବିତାମାନ ରଚିତ ହୋଇଥିବାରୁ ସେଗୁଡ଼ିକରେ ଉନ୍ନତ ଚିନ୍ତାଧାରା ସମନ୍ବିତ ହୋଇପାରିଥିଲା। କବି ବ୍ରଜନାଥ ରଥ ଓ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ସହ ମିଳିତ ଭାବରେ ସେ ‘ତିନୋଟି ନିଶ୍ବାସର ଆକାଶ’ ନାମକ କବିତା ଗ୍ରନ୍ଥ ପ୍ରଥମେ ପ୍ରକାଶ କରିଥିଲେ । ତାଙ୍କର କବିତାଗୁଡ଼ିକୁ ନେଇ ‘ସବୁ ଶବ୍ଦ ହଜିଯାଏ’ ନାମରେ ଏକ ଗ୍ରନ୍ଥ ପ୍ରକାଶିତ ହୋଇଥିଲା । ଏହାବ୍ୟତୀତ ତାଙ୍କର ସ୍ଵତନ୍ତ୍ର ଶୈଳୀରେ ରଚିତ ଗଳ୍ପମାନ ‘ବିଷର୍ଣ୍ଣ ଅପରାହ୍ନ’ ନାମକ ଗ୍ରନ୍ଥରେ ସ୍ଥାନିତ ହୋଇଥିଲା। ସାମ୍ପ୍ରତିକ କବିତାର ଗତି ଓ ପ୍ରକୃତିକୁ ନେଇ ଅନେକ ପ୍ରବନ୍ଧ ମଧ୍ୟ ସେ ରଚନା କରିଛନ୍ତି । ସେଗୁଡ଼ିକ ‘ସାହିତ୍ୟ ବିଷୟକ’ ନାମକ ଗ୍ରନ୍ଥରେ ସ୍ଥାନିତ ହୋଇଛି । କବି ଶୁଭେନ୍ଦୁ ଦାସ ଟାଉନ ହାଇସ୍କୁଲରେ ଶିକ୍ଷକ ଭାବରେ ତାଙ୍କ ଚାକିରି ଜୀବନ ଅତିବାହିତ କରିଥିଲେ । ଜଣେ ବହୁପାଠୀ ଓ ବିଦ୍ଵାନ ଭାବରେ ସେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ୧୯୬୭ ମସିହାରେ ସେ ‘ସାମ୍ପ୍ରତିକ’ ନାମରେ ଏକ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ‘ଏକକ’ ନାମକ ପତ୍ରିକା ମଧ୍ୟ ସମ୍ପାଦନା କଲେ । ସମ୍ପାଦନାର ସମସ୍ତ କୌଶଳ ପ୍ରୟୋଗ କରି ସେ ‘ଏବଂ’ ନାମକ ଓଡ଼ିଶାର ଏକ ଚର୍ଚ୍ଚିତ ଆଧୁନିକ ପତ୍ରିକାର ସମ୍ପାଦକ ହୋଇଥିଲେ । ଉପମା ଓ ଚିତ୍ରକଳ୍ପର ପ୍ରୟୋଗରେ ତାଙ୍କର କବିତାମାନ ଯେକୌଣସି ଓଡିଆ କବିଙ୍କ ରଚନାର ସମକକ୍ଷ ଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତାଙ୍କର ଦିବଂଗତି ପାଇଁ ବାଲେଶ୍ଵର ସହରରେ କେବଳ ନୁହେଁ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାସଗୃହରେ ବହୁ ସାରସ୍ଵତ ସାଧକ ଉପସ୍ଥିତ ହୋଇ ଶେଷଦର୍ଶନ କରିବା ସହ ମରଶରୀରରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସଂପାଦକ ଦୀପକ ବୋଷ, ଯୁଗ୍ମସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ଓ କଲ୍ୟାଣୀ ନନ୍ଦ, ‘ଚନ୍ଦ୍ରଭାଗା’ର ନିର୍ଦ୍ଦେଶକ କବି ଶ୍ରୀଦେବ, କବି ଦୀନବନ୍ଧୁ ଲେଙ୍କା, ଡ. ହରିଶ୍ଚନ୍ଦ୍ର ବେହେରା, ଡ. ଶିରୀଶ ଚନ୍ଦ୍ର ଜେନା, ଗାଳ୍ପିକ ନିବାରଣ ଜେନା, କବି ଅଭୟ ଦାସ, ଉଦୟ ନାରାୟଣ ଦାସ ପ୍ରମୁଖ ସାହିତ୍ୟିକମାନେ ଉପସ୍ଥିତ ହୋଇ ଶୁଭେନ୍ଦୁମୋହନଙ୍କୁ ଶ୍ରଦ୍ଧା ନିବେଦନ କରିଛନ୍ତି । ଆସନ୍ତା କାଲି ପୂର୍ବାହ୍ନରେ ତାଙ୍କ ମରଶରୀରକୁ ଲୁଣିଆଯୋଡ଼ି ଠାରେ ଦାହ କରାଯିବ ବୋଲି ଜଣା ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.