ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ସାତ ଦିନିଆ ଗବେଷଣା ପଦ୍ଧତି କର୍ମଶାଳା

ପ୍ରଥମ ଦିବସରେ ଭାଗ ନେଲେ ୪୦ ଜଣ ଗବେଷକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସ୍ନାତ୍ତକୋତ୍ତର ଶିକ୍ଷା ବିଭାଗ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଏକ ସାତ ଦିନିଆ ଗବେଷଣା ପଦ୍ଧତି କର୍ମଶାଳା ବିଶ୍ୱବିଦ୍ୟାଳୟର ପୁରୁଣା କ୍ୟାମ୍ପସ ସ୍ଥିତ ହରେକୃଷ୍ଣ ମହତାବ ପାଠାଗାର ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗତ ୨୪ ସେପ୍ଟେମ୍ବର, ୨୦୨୪ରେ ଉଦଘାଟିତ ହୋଇ ଯାଇଛି।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କର୍ମଶାଳାଟି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କର ଅଧ୍ୟକ୍ଷତାରେ ଉଦଘାଟିତ ହୋଇଥିଲା। ଏଥିରେ ଆମନ୍ତ୍ରିତ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ନିର୍ଦ୍ଦେଶକ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ବିଶ୍ୱଭାରତୀ, ଶାନ୍ତି ନିକେତନର ଶିକ୍ଷା ବିଭାଗର ପ୍ରଫେସର କାହ୍ନୁଚରଣ ସାହୁ, ମୁଖ୍ୟବକ୍ତା ଭାବରେ ଆଇ.ଆଇ.ଟି ଭୁବନେଶ୍ୱରର ଭିଜିଟିଂ ପ୍ରଫେସର ପ୍ରଫେସର ବି. ଏନ. ପଣ୍ଡା, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଜ୍ୟୋତି ଶଙ୍କର ପ୍ରଧାନ ଉପସ୍ଥିତ ରହି ଏହି ଉଦଘାଟନ ସମାରୋହକୁ ସାଫଲ୍ୟ ମଣ୍ଡିତ କରିଥିଲେ।

କର୍ମଶାଳାର ଆବାହକ ତଥା ଶିକ୍ଷା ବିଭାଗର ମୁଖ୍ଯ ପ୍ରଫେସର ଅମୁଲ୍ୟ କୁମାର ଆଚାର୍ଯ୍ୟ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲା ବେଳେ, କର୍ମଶାଳାର ସାଙ୍ଗଠନିକ ସମ୍ପାଦକ ଡ଼କ୍ଟର ରଞ୍ଜନ କୁମାର ରାଉତ କର୍ମଶାଳା ସମ୍ବନ୍ଧିତ ବିବରଣୀ ପ୍ରଦାନ କରିଥିଲେ। ଏହି କର୍ମଶାଳା ଉଦ୍‌ଘାଟନୀ ଦିବସରେ ୪୦ ଜଣ ଗବେଷକ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ବିଶ୍ୱବିଦ୍ୟାଳୟରେ ଗବେଷଣା ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲାବେଳେ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗବେଷଣା କରୁଥିବା ବିଦ୍ୟାର୍ଥୀ ମାନଙ୍କର ନୈତିକବୋଧତାର ଆବଶ୍ୟକତା ସମ୍ବନ୍ଧରେ କହିଥିଲେ। ପ୍ରଫେସର କାହ୍ନୁଚରଣ ସାହୁ, ଏବଂ ପ୍ରଫେସର ବି. ଏନ. ପଣ୍ଡା ନିଜ ଉଦବୋଧନରେ ଗୁଣାତ୍ମକ ଗବେଷଣା କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ସହକାରୀ ଅଧ୍ୟାପିକା ପ୍ରଗତିକା ସିଂ କର୍ମଶାଳାର ପରିଚାଳନା ସହିତ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.