ରୁପ୍ରାରୋଡ ରେଳ ଷ୍ଟେସନରେ ଠିଆ ହୋଇଥିବା ଟେଙ୍କରରୁ ପେଟ୍ରୋଲ ଚୋରି କଲେ ୨ ସିଗନାଲ କର୍ମଚାରୀ !

ଭିଡ଼ିଓ ଭାଇରାଲ, କାର୍ଯ୍ୟାନୁଷ୍ଠାନ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ରେଳ ବିଭାଗ ପଣ୍ୟ କାରବାରରେ ଯଥେଷ୍ଟ ସୁନାମ ଅର୍ଜନ କରିଛି। ପ୍ରତିଦିନ ମାଳବାହୀ ଟ୍ରେନ ବିଭିନ୍ନ ପଥଦେଇ ଯାତାୟତ କରିଥାନ୍ତି। ତେବେ କେତେକ ସ୍ଥାନରେ ଏହାର ହରିଲୁଟ ହେଉଥିବା ଦେଖାଯାଇଛି। ଦକ୍ଷିଣ ପୂର୍ବ ରେଳ ପଥ ର ରୁପ୍ରାରୋଡ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ପେଟ୍ରୋଲ ଭର୍ତ୍ତି ତେଲ ଟ୍ୟାଙ୍କରରୁ ଦୁଇଜଣ ସିଗନାଲ କର୍ମଚାରୀ ପେଟ୍ରୋଲ ଚୋରି କରିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖାଯାଇଛି ଯେ ରୁପ୍ରାରୋଡ ରେଳ ଷ୍ଟେସନର ଦୁଇଜଣ ସିଗନାଲ କର୍ମଚାରୀ ଏକ ୩୫ ଲିଟିରିଆ ଜାରରେ ଫେର ଲଗାଇ ପେଟ୍ରୋଲ କାଢୁଛନ୍ତି। ଏହାକୁ ନେଇ ସଚେତନ ନାଗରିକମାନେ ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି ଯେ, ରେଳ ବିଭାଗର କର୍ମଚାରୀମାନେ କାହିଁକି ଠିଆ ହୋଇଥିବା ଟେଙ୍କରରୁ ଖୁଲମଖୁଲା ପେଟ୍ରୋଲ କାଢୁଥିଲେ? ଏହା ପଛର ରହସ୍ୟ କ’ଣ? ପ୍ରାୟ ସମୟରେ ଏହି ଷ୍ଟେସନରେ ଏପରି କାରନାମା ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ କିପରି ଜାଣିପାରୁ ନାହାଁନ୍ତି? ସାଧାରଣ ଲୋକଟିଏ ଯଦି ଏଭଳି କାର୍ଯ୍ୟ କରୁଛି ତା ପାଇଁ ରେଳ ବିଭାଗ କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନଜିର ରହିଛି। ହେଲେ ବର୍ତ୍ତମାନ ଯେତେବେଳେ ରେଳ ବିଭାଗର ଦୁଇ ସିଗନାଲ କର୍ମଚାରୀ ଏପରି କାଣ୍ଡ କରୁଛନ୍ତି ସେମାନଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାଁ ନାହିଁ? ଦେଶର ଅର୍ଥନୈତିକ ସ୍ଥିତିକୁ ସୁଧାରିବା ଦିଗରେ ରେଳ ବିଭାଗର ଯଥେଷ୍ଟ ଅବଦାନ ରହିଛି। ଯଦି ଏପରି ଲୁଟ୍ ଲାଗିରହେ ତେବେ ଏହା ଦେଶ ପାଇଁ ଶୁଭଙ୍କର ନୁହଁ ବୋଲି ସେମାନେ ମତପ୍ରକାଶ କରିଛନ୍ତି। ତେବେ ଚୋରି ଘଟଣାର ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ରେଳ ବିଭାଗ କ’ଣ ପଦକ୍ଷେପ ଗ୍ରହଣ କରୁଛି ତାହାହିଁ ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.