ଜୀବନ ଦର୍ଶନ ଓ ମନନର ଅପୂର୍ବ ରାଗିଣୀ ହେଉଛି ଫକୀରମୋହନଙ୍କ ଜୀବନ ଓ ସାହିତ୍ୟ

ଫକୀରମୋହନ ମହାବିଦ୍ୟାଳୟରେ ଆୟୋଜିତ ହେଲା ସେନାପତିଙ୍କ ୧୮୩ତମ ଜୟନ୍ତୀ ସମାରୋହ ଏବଂ ପ୍ରତିଭା ପୁରସ୍କାର ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ଣ ଘ୧୦ଟିକାରେ ଫକୀରମୋହନ ମହାବିଦ୍ୟାଳୟ ପରିସରସ୍ଥ ସମ୍ମେଳନ କକ୍ଷରେ ଅତ୍ୟନ୍ତ ଆଡମ୍ବର ସହ ୧୮୩ତମ ଫକୀରମୋହନ ଜୟନ୍ତୀ ଓ ସାରସ୍ଵତ ସମ୍ବର୍ଦ୍ଧନା ଉତ୍ସବ ଫକୀର ମୋହନ ଜୟନ୍ତୀ ସମିତି ଆନୁକୁଲ୍ୟରେ ଅଧ୍ୟକ୍ଷ ପ୍ରଫେସର୍ ଦିଲ୍ଲୀପ କୁମାର ଘୋଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫକୀରମୋହନ ବିଶ୍ଵବିଦ୍ୟାଳୟର ଆଡଜଙ୍କ୍ଟ ପ୍ରଫେସର ତଥା ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର ଡ. କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗଦେଇ ଫକୀର ମୋହନଙ୍କ ବ୍ୟକ୍ତିତ୍ଵ ଓ ସାହିତ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲାବେଳେ ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବରେ ଯଥାକ୍ରମେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ଟର ରମାକାନ୍ତ ନାୟକ ଓ ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଅଭୟ କୁମାର ଦାସ ଯୋଗଦେଇ ଯଥାକ୍ରମେ ଫକୀର ମୋହନଙ୍କ ଗଳ୍ପ, ଉପନ୍ୟାସ, କବିତା, ପାଠ୍ୟପୁସ୍ତକ ପ୍ରଣୟନ ଓ ବ୍ୟକ୍ତିତ୍ଵ ସମ୍ପର୍କରେ ଅତ୍ୟନ୍ତ ମାର୍ମିକ ଅଭିଭାଷଣ ରଖିଥିଲେ। ପ୍ରଫେସର ପ୍ରଧାନ ସେନାପତିଙ୍କ ଗଳ୍ପର ସମୟୋପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ପ୍ରଫେସର ନାୟକ ବ୍ୟକ୍ତିତ୍ଵ ପରିଚାଳନା ଆଲୋକରେ ସେନାପତିଙ୍କ ସାହିତ୍ୟ ଓ ଜୀବନୀର ଭାବଗର୍ଭକ ଆଲୋଚନା କରିଥିଲେ। ଫକୀର ମୋହନଙ୍କ ଜୀବନ ଓ ସାହିତ୍ୟ ଉପରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବର୍ଷ ୨୦୨୫ ପାଇଁ ‘ଫକୀର ମୋହନ ସାରସ୍ଵତ ସମ୍ମାନ’ ବିଶିଷ୍ଟ ଗବେଷକ ଓ ସମାଲୋଚକ ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ମାନପତ୍ର, ଉପଢୌକନ ସହ ସମ୍ମାନ-ସ୍ମାରକୀ ପ୍ରଦାନ କରାଯାଇଥିଲା । ସେହିପରି ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ପରି ଫକୀର ମୋହନଙ୍କ ଜୀବନ ଓ ସାହିତ୍ୟ ସମ୍ପର୍କିତ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସଞ୍ଜିତ୍ କୁମାର ନାୟକ, ଗୀତା ରାଉତ ଓ ଦୟାନିଧି ସେନାପତିଙ୍କୁ ପ୍ରମାଣ ପତ୍ର ସହ ଯଥାକ୍ରମେ ଦୁଇ ହଜାର, ପନ୍ଦର ଶହ ଓ ଏକ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ସ୍ଵତନ୍ତ୍ର ଦାବୀ ମୁତାବକ ଜୟନ୍ତୀ ଉପଲକ୍ଷେ ସମିତି ଆନୁକୂଲ୍ୟରେ ସ୍ବତନ୍ତ୍ର ଭାବରେ ଫକୀରମୋହନଙ୍କ ସମନ୍ଧୀୟ ଓଡ଼ିଆ କବିତା ଲିଖନ, ଓଡ଼ିଆ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଏଥିର ୧୩ଜଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ମହାବିଦ୍ୟାଳୟର ଶ୍ରେଷ୍ଠ କଳସ୍ନାତକ ଭାବରେ ରୁମା ମହନ୍ତଙ୍କୁ ‘ନିର୍ମଳା ସୁପ୍ରଭା ସ୍ମୃତି ପୁରସ୍କାର’ ସ୍ୱରୂପ ମାନପତ୍ର ଓ ନଗଦ ଦଶ ହଜାର ଟଙ୍କାର ଅର୍ଥରାଶି, ଇଂରାଜୀ ସ୍ନାତକ ଶ୍ରେଣୀର ଶ୍ରେଷ୍ଠ ସ୍ନାତକ ଇପ୍ତେଶାନ ଫିର୍ଦୋଶଙ୍କୁ ଶାରଦା ପ୍ରସନ୍ନ ଦାସ ଅଧିକାରୀ ସ୍ମୃତି ପୁରସ୍କାର ସ୍ୱରୂପ ମାନପତ୍ର ଓ ନଗଦ ପାଞ୍ଚ ହଜାର ଟଙ୍କା ଅର୍ଥରାଶି, ଜୀବ ବିଜ୍ଞାନର ଶ୍ରେଷ୍ଠ ସ୍ନାତକ ରଞ୍ଜିତା ରାଉତଙ୍କୁ ନିର୍ମଳା ସୁପ୍ରଭା ସ୍ମୃତି ପୁରସ୍କାର ସ୍ୱରୂପ ମାନପତ୍ର ଓ ନଗଦ ଦଶ ହଜାର ଟଙ୍କାର ଅର୍ଥ ରାଶି, ପଦାର୍ଥ ବିଜ୍ଞାନର ଶ୍ରେଷ୍ଠ ସ୍ନାତକ ଆୟୁଷ ଅଭିଜ୍ଞାନ ଦାସଙ୍କୁ ଈଶାନ୍ ମିନତି ଆଶ୍ ସ୍ମୃତି ପୁରସ୍କାର ସ୍ୱରୂପ ମାନପତ୍ର ଓ ପାଞ୍ଚ ହଜାର ଟଙ୍କାର ନଗଦ ଅର୍ଥରାଶି, +୨ କଳାର ସର୍ବାଧିକ ନମ୍ବର ରଖିଥିବା ଫକୀର ମୋହନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ଦାସଙ୍କୁ ପର୍ଶୁରାମ ଜେନା ସ୍ମୃତି ପୁରସ୍କାର ସ୍ୱରୂପ ମାନପତ୍ର ଓ ନଗଦ ତିନି ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଏହି ଉତ୍ସବରେ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ଅଭିଜିତ ଦାସ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲା ବେଳେ ମହାବିଦ୍ୟାଳୟ ସଙ୍ଗୀତ ଓ ଭାଷା ବନ୍ଦନା ପରିବେଷଣ ପରେ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷ ସ୍ଵାଗତ ସମ୍ଭାଷଣ ରଖିଥିଲେ। ସେହିପରି ଉତ୍ସବର ଆବାହକ ଓ ସମିତିର ସଚିବ ତଥା ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଉତ୍ସବର ବିଶେଷ ଆକର୍ଷଣ ଫକୀରମୋହନ ସାରସ୍ଵତ ସମ୍ମାନ-ସ୍ମାରକୀର ଆଭିମୁଖ୍ୟ, ଅର୍ଥବହତା ଏବଂ ବିଶେଷତ୍ଵ ଉପରେ ଆଲୋକପାତ କରିଥିଲେ। ସର୍ବୋପରି ଆମକୁ ଫକୀରମୋହନଙ୍କ ମହାନ୍ ଜୀବନ ଓ ସାହିତ୍ୟ ଆଦର୍ଶକୁ ଗ୍ରହଣ କରିବା ନିମନ୍ତେ ଏଥିରେ ଅତିଥିମାନେ ପରାମର୍ଶ ଦେଇ ଫକୀର ମୋହନଙ୍କ ଜୀବନୀ ଓ ସାହିତ୍ୟ ତଥାପି ଅନାବିଷ୍କୃତ ବୋଲି କହିଥିଲେ। ସେହିପରି ପୁରସ୍କାର ବିତରଣ ପରିଚାଳନା ଦାୟିତ୍ବରେ ଅଧ୍ୟାପିକା ସୁନାଲି ଜେନା ଓ ଅଧ୍ୟାପିକା ଶୁଭଲକ୍ଷ୍ମୀ ପାତ୍ର ଥିଲାବେଳେ ପରିଶେଷରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କଦ୍ବାରା ନୃତ୍ୟ ଓ ସଙ୍ଗୀତଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ପରେ ଅଧ୍ୟାପିକା ଡ. ମଧୁସ୍ମିତା ଘଡ଼ାଇ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବିମଳ ଜେନା, ବିଶିଷ୍ଟ ସମାଲୋଚିକା ପ୍ର. ଡ. ସାନ୍ତ୍ଵନା ହାଲଦାର, ପ୍ର. ଫିରୋଜ୍ କୁମାର ପାଢ଼ୀ, ପ୍ର. ଅନିରୁଦ୍ଧ ବେହେରା, ପ୍ର. ରଞ୍ଜନ କୁମାର ସାହୁ, ଡ. ଜୟଶ୍ରୀ ମିଶ୍ର, ପ୍ର. ରାଜେଶ ରାଉତ, ପ୍ର. ଡ. ଉମାବତୀ ସାହୁ, ପ୍ର. ସ୍ୟଦ୍ ଆରିଫ୍ ରାଜା, ଡ. ଅକ୍ତରୀ ଖାତୁନ, ପ୍ର. ଶାନ୍ତିପ୍ରଭା ବେହେରା, ଡ. ସୁଜାତା ସାହୁ, ଅଧ୍ୟାପିକା ଭାଗ୍ୟଶ୍ରୀ ଦାସ, ଅଧ୍ୟାପିକା ରଶ୍ମିତା ମହାପାତ୍ର, ପ୍ର. ଜୟନ୍ତ କୁମାର ପରିଡ଼ା, ଅଧ୍ୟାପିକା ଦେବସ୍ମିତା ସାହୁ, ଡ. ସୁଦେଷ୍ଣା ଖଟୁଆ, ଡ. ମିନତି ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ସମାଜ ଉତ୍ତର ଓଡ଼ିଶା ସଂସ୍କରଣର ଉପସମ୍ପାଦକ ଶ୍ରୀ ଶଶିରଞ୍ଜନ ମଲ୍ଲିକ, ଅଧ୍ୟାପିକା ରଶ୍ମିରେଖା ସାମନ୍ତରାୟ ଓ ମୁଖ୍ୟ ସହାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଶତପଥୀ, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରଭାତ କୁମାର ମହାରଣା, ରାଜେନ୍ଦ୍ର କୁମାର ନାୟକ, ଗିରିଜାଶଙ୍କର କର, ପୂର୍ଣ୍ଣଚନ୍ଦ୍ର ସାହୁ, ସନ୍ତୋଷ ବେହେରା, କିଶୋର ବେହେରା ପ୍ରମୁଖ କର୍ମଚାରୀ, ତଥା ବାଲେଶ୍ଵରର ଅନେକ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ସାହିତ୍ୟିକ, ବୁଦ୍ଧିଜୀବୀ ପ୍ରମୁଖ ତିନିଶହରୁ ଊର୍ଦ୍ଧ୍ବ ଶ୍ରୋତା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.