ବାଣିପଙ୍ଗା ଆବାସିକ ବାଳିକା ହାଇସ୍କୁଲ ବିବାଦ ପ୍ରସଙ୍ଗ: ବଦଳି ହେଲେ ଖେଳ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ବାତେରଲିମା ପଞ୍ଚାୟତସ୍ଥିତ ବାଣିପଙ୍ଗା ସରକାରୀ ଏସ୍ଏସ୍‌ଡି ଆବାସିକ ବାଳିକା ହାଇସ୍କୁଲରେ ଗୁରୁବାର ଶିକ୍ଷକ ବିଳମ୍ବରେ ଆସିବା ଓ ସ୍କୁଲ ଭିତରେ ସରପଞ୍ଚ ଭିଡିଓ ବନାଇବା ନେଇ ଖେଳ ଶିକ୍ଷକ ବିଜୟ ଭୋଇ ଓ ସରପଞ୍ଚ କରୁଣା ମାଝୀଙ୍କ ମଧ୍ୟରେ ତୁତୁ ମେମେ ହୋଇଥିଲା। ଏନେଇ ସରପଞ୍ଚ ଶ୍ରୀ ମାଝୀ ଗୁରୁବାର ରାତିରେ ଲାଞ୍ଜିଗଡ଼ ଥାନାର ଦ୍ବାରସ୍ତ ହୋଇଥିବା ବେଳେ ଥାନା ପକ୍ଷରୁ ଶିକ୍ଷକ ଶ୍ରୀ ଭୋଇଙ୍କୁ ଡକରା ହୋଇଥିଲା। କିନ୍ତୁ ଶୁକ୍ରବାର ଅପରାହ୍ନରେ ଶିକ୍ଷକ ଶ୍ରୀ ଭୋଇ ଥାନାକୁ ଆସିବା ସମୟରେ ଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କ ସାଙ୍ଗରେ ଯିବେ କ‌ହି ଏକ ଭାଲିକରି ଥାନାର ଦ୍ବାରସ୍ଥ ହୋଇଥିଲେ। ଛାତ୍ରୀ ଓ ଶିକ୍ଷକଙ୍କ ଭିଡିଓ ଭାଇରଲ ହେବା ପରେ ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ଖବର ପାଇ ବ୍ଳକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଙ୍କଜ ବଳିଆରସିଂ ପ୍ରଧାନଶିକ୍ଷକଙ୍କୁ ଏହା ଉପରେ ଅବଗତ କରାଇଥିଲେ। ପରେ ପ୍ରଧାନଶିକ୍ଷକ ସମସ୍ତ ଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଆଣିଥିଲେ ଛାତ୍ରୀମାନଙ୍କୁ ବାହାରକୁ ଅଣାଯିବା ଘଟଣାକୁ ନେଇ ଅଭିଭାବକମାନେ ଶନିବାର ସ୍କୁଲ ମୁଖ୍ୟ ଫାଟକରେ ଧାରଣା ଦେଇଥିଲେ। ଏହାପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀ ବଲ୍ଲଭ ସାମନ୍ତରାୟ, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବଳିଆରସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି, ସରପଞ୍ଚ କରୁଣା ମାଝୀଙ୍କ ସହିତ ଏହା ଉପରେ ଆଲୋଚନା କରି ଜିଲ୍ଲା ପାଳଙ୍କୁ ଅବଗତ କରାଇଥିଲେ। ଏହା ପରେ କଳାହାଣ୍ଡି ଜିଲ୍ଲାପାଳ ୪ ତାରିଖ ଦିନ ଚିଠି ନମ୍ବର ୩୪୧ ମାଧ୍ୟମରେ ଲାଞ୍ଜିଗଡ ବାଣିପଙ୍ଗା ଏସଏସଡି ବାଳିକା ବିଦ୍ୟାଳୟ ଖେଳ ଶିକ୍ଷକ ବିଜୟ କୁମାର ଭୋଇଙ୍କୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଲୁବେନଗଡ଼ ସରକାରୀ ଏସଏସଡି ସ୍କୁଲକୁ ବଦଳି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.