ଭୀମଭୋଇ ମହିମା ସମ୍ମାନ ପାଇଲେ ସାଧୁ ପ୍ରଭାକର ଦାସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମର ପୀଠାଧିଶ ସାଧୁ ପ୍ରଭାକର ଦାସ ମର୍ଯ୍ୟାଦାଜନକ ‘ଭୀମଭୋଇ ମହିମା ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି। ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ସ୍ଥିତ ଭୀମଭୋଇ ସମାଧି ପୀଠରେ ଆୟୋଜିତ ମାଘ ମେଳାର ତୃତୀୟ ସନ୍ଧ୍ୟାରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ସୋମ୍ୟାରୁପା ରଥ, ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ଭୀମଭୋଇ ସମାଧି ପୀଠର ମେନେଜିଙ୍ଗ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସାଧୁ ପ୍ରଭାକର ଦାସଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ସାଧୁ ପ୍ରଭାକର ଦାସ ସତ୍ୟ ସନାତନ ମହିମା ଧର୍ମର ଜଣେ ନିଷ୍ଠାପର ପ୍ରଚାରକ। ସେ ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ, ଅଖିଳ ଭାରତୀୟ ଧର୍ମ ବିଭାଗର ପ୍ରଚାରକ ଅଛନ୍ତି। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ହିନ୍ଦୁଧର୍ମର ପ୍ରଚାର ପ୍ରସାର ପାଇଁ ବ୍ରତି ରହିଥିବା ସାଧୁ ପ୍ରଭାକର ଦାସ ପଶ୍ଚିମାଞ୍ଚଳର କୋଣ ଅନୁକୋଣରେ ପ୍ରବଚନ ଦେଇ ବିପଥଗାମୀ ମଣିଷମାନଙ୍କୁ ଧର୍ମ ମାର୍ଗରେ ପରିଚାଳିତ କରିବାପାଇଁ ଚେଷ୍ଟିତ ଅଛନ୍ତି। ତେବେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଭୀମ ଭୋଇ ସାଧନା ପୀଠ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଭୀମଭୋଇ ମହିମା ସମ୍ମାନରେ ସମ୍ମାନିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.